ସିକ୍କିମ ବନ୍ୟା ଏବେ ବି ମିଳୁମି ୧୭ ଯବାନଙ୍କ ପତ୍ତା
ଗାଙ୍ଗଟକ: ସିକ୍କିମରେ ଲୋନାକ ହିମ ହ୍ରଦ ବିସ୍ଫୋରଣ ଜନିତ ବନ୍ୟା (ଗ୍ଲାସିଆଲ ଲେକ୍ ଆଉଟବର୍ଷ୍ଟ ଫ୍ଲଡ ବା ଜିଏଲ୍ଏଫଓ)ର ଯେଉଁ ବିପର୍ଯ୍ୟୟ ଘଟିଲା ତାହା ହେବ ବୋଲି ପୂର୍ବରୁ ସତର୍କ କରାଯାଇଥିଲା । ଗତ ୧୦ ବର୍ଷ ହେଲା ବିଭିନ୍ନ ସରକାରୀ ସଂସ୍ଥା ଓ ଗବେଷକ ଏହି ହିମ ହ୍ରଦ ଭୁଶୁଡିବା ନେଇ ସତର୍କ କରିଥିଲେ । ଶେଷଥର ପାଇଁ ୨୦୨୧ରେ ମଧ୍ୟ ସତର୍କ କରାଯାଇଥିଲା । ମାତ୍ର ସବୁ ସତର୍କ ସୂଚନାକୁ ରାଜ୍ୟ ସରକାର ଅଣଦେଖା କରିଥିଲେ । ଯାହାର ଫଳ ଏତେ ଭୟାନକ ହୋଇଥିଲା ।
ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର (ଏନ୍ଆରଏସ୍ସି) ଏବଂ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ପକ୍ଷରୁ ୨୦୧୨-୧୩ରେ ମିଳିତ ଭାବେ କରାଯାଇଥିବା ଅଧ୍ୟୟନରୁ ଏହି ହ୍ରଦର ବିସ୍ଫୋରଣ ଆଶଙ୍କା ୪୨ ପ୍ରତିଶତ ରହିଥିବା ନେଇ କୁହାଯାଇଥିଲା । ୨୦୧୬ରେ ଲଦାଖର ଷ୍ଟୁଡେଣ୍ଟସ ଏଜୁକେସନାଲ ଆଣ୍ଡ କଲ୍ଚରାଲ ମୁଭମେଣ୍ଟର ସୋନମ ୱାଙ୍ଗଚୁକ ଲୋନାକ ହ୍ରଦ ଭୁଶୁଡି ପଡିବା ନେଇ ଆଶଙ୍କା ପ୍ରକାଶ କରିଥିଲେ । ୨୦୨୧ରେ ଏଲ୍ସିଭିଅର ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଲୋନାକ ହ୍ରଦର ବିସ୍ଫୋରଣ ଆଶଙ୍କା ଅଧିକ ରହିଛି ବୋଲି କୁହାଯାଇଥିଲା । ରିପୋର୍ଟ ଅନୁସାରେ ୧୯୬୨ରୁ ୨୦୦୮ ଏହି ୪୬ ବର୍ଷ ଭିତରେ ହିମ ପାହାଡାର ଆକାର ୨ କି.ମି. ହ୍ରାସ ପାଇଥିଲା । ସେହିଭଳି ୨୦୦୮ରୁ ୨୦୧୯ ମଧ୍ୟରେ ୪୦୦ ମିଟର କମି ଯାଇଥିଲା । ଅର୍ଥାତ ଏହି ପାହାଡରୁ ବରଫ ତରଳି ହିମ ହ୍ରଦରେ ମିଶିଥିଲା । ଏଥିରୁ ହ୍ରଦ ପ୍ରତି ବିପଦ ରହିଥିବା ଆଶଙ୍କା ପ୍ରକାଶ ପାଇଥିଲା । ହ୍ରଦର ନିମ୍ନ ଅବବାହିକା ଜନବହୁଳ ଅଞ୍ଚଳ ହୋଇଥିବାରୁ ସେଥିପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ୨୦୦୧ରେ ସିକ୍କିମ ମାନବ ଉନ୍ନୟନ ରିପୋର୍ଟ ମଧ୍ୟ ଏହି ହ୍ରଦର ଭୟାବହତା ସମ୍ପର୍କରେ ଉଲ୍ଲେଖ କରିଥିଲା ।




admin 