ଜ୍ୱରରେ ଶ୍ରୀଜିଉ, ଆଜିଠାରୁ ହେବ ଓଷ ଲାଗି
ପୁରୀ: ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଶ୍ରୀଜିଉମାନେ ଏବେ ଜ୍ୱରରେ । ଉପଶମ ପାଇଁ ଦଇତାପତି ସେବକ ଅନବସରରେ ଠାକୁରଙ୍କ ଗୁପ୍ତ ସେବା କରୁଛନ୍ତି । ଗୁରୁବାର ଶ୍ରୀଅଙ୍ଗ ଖୋଲିବା ପରେ ଶୁକ୍ରବାର ଠାକୁରଙ୍କୁ ଫୁଲୁରୀ ତେଲ ଲାଗି ହୋଇଛି । ଅପରାହ୍ନରେ ବଡ଼ ଓଡ଼ିଆ ମଠରୁ ଶ୍ରୀମନ୍ଦିରକୁ ବିଜେ କରିଥିଲା ଫୁଲୁରୀ ତେଲ । ରାତିରେ ଠାକୁରଙ୍କ ପାଦପଦ୍ମରେ ଫୁଲୁରୀ ତେଲ ଘଷା ପରେ ଉପଶମ ଲଭିଛନ୍ତି ଶ୍ରୀଜିଉ । ଶନିବାର ଠାରୁ ଠାକୁରଙ୍କ ଓଷ ଲାଗି ଆରମ୍ଭ ହେବ । ଝୁଣା ଗୁଣ୍ଡରେ ରାଶି ତେଲର ମିଶ୍ରଣ ହେଉଛି ଓଷ ।
ଏହାପରେ ଦଷମୂଳ ଔଷଧ ସେବନ କରି ସୁସ୍ଥ ହେବେ ମହାପ୍ରଭୁ । ଶୁକ୍ରବାର ସକାଳେ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ନିକଟକୁ ଶ୍ରୀମନ୍ଦିରରୁ ଡାକରା ଯାଇଥିଲା । ଏହାପରେ ମଠ ପରିସରରେ ଫୁଲୁରୀ ତେଲ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସ୍ନାନପୂର୍ଣ୍ଣିମାରେ ମାଟି ତଳୁ ବାହାରିଥିବା ତେଲକୁ ଭଲଭାବେ ଛଣା ହୋଇ ମାଟି ପାତ୍ରରେ କଦଳୀ ପତ୍ର ଘୋଡ଼ାଇ ପ୍ରସ୍ତୁତ ହେଲା । ୨ଟି ମାଟି ପାତ୍ରରେ ରହିଥିଲା ଫୁଲୁରୀ ତେଲ । ମହନ୍ତ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାନସ ରଥ, ଯଜେ୍ଞଶ୍ୱର ପଣ୍ଡା ଓ ମନୋରଞ୍ଜନ ଦାଶ ଠାକୁରଙ୍କ ତେଲ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥିଲା । ଏହାଦ୍ୱାରା ଅସୁସ୍ଥ ଶ୍ରୀବିଗ୍ରହ ସୁସ୍ଥ ହେବେ । ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ ଅନନ୍ୟ ରୀତିନୀତି । ଏସବୁ ଠାକୁରଙ୍କ ଗୁପ୍ତ ପୂଜା ।




admin 