ଶ୍ରୀମନ୍ଦିରରେ ପୂଜାପାଇବେ ପଟିଦିଅଁ

ଶ୍ରୀମନ୍ଦିରରେ ପୂଜାପାଇବେ ପଟିଦିଅଁ

ପୁରୀ: ସ୍ନାନବେଦିରେ ୧୦୮ଗରା ଜଳ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀବିଗ୍ରହ । ଜ୍ୱରରୁ ମୁକ୍ତି ପାଇଁ ୧୫ ଦିନ ପର୍ୟ୍ୟନ୍ତ ଜାରି ରହିବ ଠାକୁରଙ୍କ ଏହି ଗୁପ୍ତ ନୀତି । ଜ୍ୱରରେ ପୀଡ଼ିତଙ୍କୁ ଯେପରି ପଥି, ପାଚନ ଓ ଔଷଧର ଆବଷ୍ୟକତା ପଡ଼ିଥାଏ, ଠିକ୍‌ ସେହିପରି ଶ୍ରୀବିଗ୍ରହଙ୍କ ସେବା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଠାକୁରଙ୍କ ଏହି ଗୁପ୍ତ ସେବା କରୁଛନ୍ତି । ଏହି ସମୟରେ ଶ୍ରୀମନ୍ଦିରରେ ପୂଜାପାଇବେ ପଟିଦିଅଁ । ଏଣୁ ସୋମବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ପଟିଦିଅଁ ବିଜେ ହୋଇଛନ୍ତି ।

ଏହି ସମୟରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ବିଧିମୁତାବକ ଜଗମୋହନରେ ବିଜେ ହୋଇଥିବା ପଟିଦିଅଁଙ୍କୁ ଭକ୍ତମାନେ ଦର୍ଶନକରି ପୂଜାର୍ଚ୍ଚନା କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯାଏ ।

ଶ୍ରୀ ନାରାୟଣଙ୍କ ସମ୍ମୁଖରେ ମଦନମୋହନ ଓ କୃଷ୍ଣ ବିଗ୍ରହ, ମା ଭୁବନେଶ୍ୱରୀଙ୍କ ସମ୍ମୁଖରେ ଭୂଦେବୀ ଓ ଶ୍ରୀଦେବୀ ଏବଂ ଶ୍ରୀ ଅନନ୍ତ ବାସୁଦେବଙ୍କ ସମ୍ମୁଖରେ ଦୋଳଗୋବିନ୍ଦ ଓ ନୃସିଂହଙ୍କ ପ୍ରତିମୂର୍ତ୍ତି ଅଧିଷ୍ଠିତ ହୋଇଥାନ୍ତି । ବିଳମ୍ବିତ ରାତିରେ ଠାକୁରେ ସ୍ନାନମଣ୍ଡପରୁ ଅଣସର ଘରକୁ ପହଣ୍ଡି ହୋଇଯାଇଥିଲେ । ମହାପ୍ରଭୁଙ୍କ ଚିତ୍ରକର ସେବକମାନେ ଅତ୍ୟନ୍ତ ଶୁଦ୍ଧପୂତଭାବେ ପଟିଦିଅଁଙ୍କୁ ନିର୍ମାଣ କରିଥିଲେ । ଠାକୁରଙ୍କ ପହଣ୍ଡି ପରେ ଶ୍ରୀମନ୍ଦିର ପକ୍ଷରୁ ଛତି, କାହାଳୀର ପଟୁଆର ଯାଇ ପଟିଦିଅଁଙ୍କୁ ଆଣି ଶ୍ରୀମନ୍ଦିର ଜଗମୋହନରେ ବିଜେ କରାଇଥିଲେ । ଠାକୁରଙ୍କ ଗୁପ୍ତ ପୂଜା ସାଙ୍ଗକୁ ପଟିଦିଅଁଙ୍କ ପୂଜାର୍ଚ୍ଚନା ଚାଲିବ । ସୋମବାର ଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କୁ ଦର୍ଶନ କରିବାର ବିଧି ରହିଛି ।