ଡ୍ରେସକୋଡକୁ ନେଇ ଆସିଲା ନୂଆ ଗାଇଡଲାଇନ୍

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କଟକଣା ନେଇ ସମସ୍ତ ସେବାୟତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ କିପରି ଡ୍ରେସ୍ ପିନ୍ଧିବେ ସେନେଇ ସଚେତନ କରିବାକୁ ଚିଠିରେ କୁହାଯାଇଛି । ପ୍ରଶାସନ ପକ୍ଷରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି, ସେବାୟତମାନେ ବହୁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର କରିଆସୁଛନ୍ତି ।
ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ସେମାନଙ୍କ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି । ସେଥିପାଇଁ ସଚେତନ କାମରେ ସେବାୟତମାନେ ସହଯୋଗ କରିବା ଉଚିତ୍ । ସେହିପରି ହୋଟେଲ ଆସୋସିଏସନକୁ କୁହାଯାଇଛି ଯେ, ଯେଉଁ ଶ୍ରଦ୍ଧାଳୁମାନେ ହୋଟେଲରେ ରହୁଛନ୍ତି ସେମାନଙ୍କୁ ହୋଟେଲ କର୍ମଚାରୀ, ଟୁରିଷ୍ଟ ଗାଇଡଙ୍କ ଜରିଆରେ ପୋଷାକ କଟକଣା ବିଷୟରେ ସଚେତନ କରାନ୍ତୁ ।
ଶ୍ରୀମନ୍ଦିରର ଚିଠିରେ ଦର୍ଶାଯାଇଛି ଯେ, ପୁରୁଷମାନେ ଫୁଲ୍ ପ୍ୟାଂଟ, ସାର୍ଟ, ଚୁଡିଦାର-ପଞ୍ଜାବୀ, ଧୋତି ଆଦି ପାରମ୍ପରିକ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ । ମହିଳାମାନେ ଶାଢୀ, ସାଲୱାର, କମିଜ ପ୍ରଭୃତି ପରିଧାନ କରି ଆସିଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ପାଇବେ । ଏନେଇ ଆସନ୍ତା ନୂଆବର୍ଷ ପର୍ୟ୍ୟନ୍ତ ସଚେତନ କରାଯିବ । ନୂଆବର୍ଷ ପରେ କଟକଣା କଡ଼ାକଡି ଭାବେ ପାଳନ କରାଯାଇପାରେ ବୋଲି କୁହାଯାଇଛି ।