ଆଜିଠାରୁ ମିଲେଟ୍ ଅନ୍ତର୍ଜାତୀୟ ସମ୍ମିଳନୀ, ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଠାରୁ ଦୁଇଦିନିଆ ମିଲେଟ୍ ସମ୍ୱନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। କାର୍ୟ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’। ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କ ସମ୍ପୃକ୍ତିରେ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ, ବୈଷିୟକ ଅଧିବେଶନ, ନୀତି ନିର୍ଦ୍ଧାରଣ ନିମନ୍ତେ ରାଉଣ୍ଡଟେବୁଲ୍ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଏହାସହ ମିଶନ୍ ଶକ୍ତି ଅଧୀନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କର ସଫଳତାର କାହାଣୀ ପ୍ରଦର୍ଶନ କରାଯିବ। ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ମିଲେଟସ୍ ଉପରେ ଆଧାରିତ ସଙ୍ଗୀତ କାର୍ୟ୍ୟକ୍ରମ ସାଙ୍ଗକୁ ସେଫ୍ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଏଥିରେ ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା, ବିଭିନ୍ନ ଦେଶର ଦୂତାବାସର କର୍ମକର୍ତ୍ତା ଏବଂ ବିଭିନ୍ନ ରାଜ୍ୟର କୃଷି ସଚିବଙ୍କ ସମେତ ଅନେକ ପ୍ରତିନିଧି ଯୋଗଦେବେ।
ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ, ୨୦୨୩ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ଗତବର୍ଷଠାରୁ ନଭେମ୍ୱର ୧୦କୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି।




admin 