୨୦୨୫ ସୁଦ୍ଧା ‘ଟିବି’ ବିଲୋପ ପାଇଁ ଲକ୍ଷ୍ୟ ଧାର୍ୟ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

୨୦୨୫ ସୁଦ୍ଧା ‘ଟିବି’ ବିଲୋପ ପାଇଁ ଲକ୍ଷ୍ୟ ଧାର୍ୟ୍ୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:  ୨୦୨୫ ସୁଦ୍ଧା ‘ଟିବି’ ବିଲୋପ ପାଇଁ ଭାରତ ଲକ୍ଷ୍ୟ ଧାର୍ୟ୍ୟ କରିଛି। ଏହି ‘ଟିବି’ ବିରୋଧୀ ଆନ୍ଦୋଳର ଦାୟିତ୍ବରେ ଅଛନ୍ତି ‘ନି-କ୍ଷୟ ମିତ୍ର’। ଗ୍ରାମାଞ୍ଚଳରେ ହଜାର ହଜାର ଲୋକ ‘ଟିବି’ ରୋଗୀମାନଙ୍କର ଦାୟିତ୍ବ ନେଉଛନ୍ତି। ଏହା ହେଉଛି ଭାରତର ବାସ୍ତବ ସାମର୍ଥ୍ୟ ବୋଲି ଆଜି ୧୦୨ତମ ‘ମନ୍‌ କୀ ବାତ୍‌’ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେ କହିଛନ୍ତି, ଦୀର୍ଘ ବର୍ଷ ଧରି ଭାରତ ବିକଶିତ କରିଥିବା ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ଆଜି ଦୃଷ୍ଟାନ୍ତ ପାଲଟିଛି। ବାତ୍ୟା ‘ବିପର୍ୟ୍ୟୟ’ କଚ୍‌ ଜିଲ୍ଲାରେ ପ୍ରଳୟ କଲା, କିନ୍ତୁ କଚ୍‌ବାସୀ ଅଦମ୍ୟ ସାହସ ଓ ପ୍ରସ୍ତୁତି ସହ ତା’ର ମୁକାବିଲା କଲେ। ଶୁକ୍ରବାର ଦିନ ପ୍ରବାହିତ ବାତ୍ୟାକୁ ପ୍ରଧାନମନ୍ତ୍ରୀ ମ‌ୋଦୀ କଚ୍‌ରେ ଘଟିଥିବା ଭୂମିକମ୍ପ ସହିତ ତୁଳନା କରି କହିଛନ୍ତି, ଏକଦା ଦୁଇ ଦଶନ୍ଧି ପୂର୍ବେ କଚ୍‌ର ପୁନରୁଦ୍ଧାର ହୋଇପାରିବ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ, ଆଜି ସେହି ଜିଲ୍ଲା ଦେଶର ଦ୍ରୁତ ବିକାଶଶୀଳ ଜିଲ୍ଲାଗୁଡ଼କ ମଧ୍ୟରେ ରହିଛି। ମୋର ଦୃଢ଼ ବିଶ୍ବାସ ବାତ୍ୟା ‘ବିପର୍ୟ୍ୟୟ’ ଜନିତ କ୍ଷୟକ୍ଷତିକୁ କଚ୍‌ବାସୀ ତୁରନ୍ତ ସୁଧାରିନେବେ। ଭାରତର ସାମୁହିକ ଶକ୍ତି ସବୁ ସମସ୍ୟାର ସମାଧାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ସବୁଠୁ ବଡ଼ ଲକ୍ଷ୍ୟ ହେଉ କି, କଠିନତମ ଆହ୍ବାନ ହେଉ, ଭାରତୀୟଙ୍କ ସାମୁହିକ ଶକ୍ତି , ସାମୁହିକ କ୍ଷମତା, ସମସ୍ତ ଆହ୍ବାନର ସମାଧାନ କରୁଛନ୍ତି।

କ୍ରୀଡ଼ା କ୍ଷେତ୍ରରେ ଭାରତର କୃତିତ୍ବ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମକରି ଭାରତ ବିଭିନ୍ନ କ୍ରୀଡ଼ାରେ କୃତ୍ବିତ୍ବ ହାସଲ କରୁଛି। ଆମ କ୍ରୀଡ଼ାବିତ୍‌ମାନଙ୍କ କଠୋର ଅଧ୍ୟବସାୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ‘ବସୁଧୈବ କୁଟୁମ୍ବକମ୍‌ ନିମନ୍ତେ ଯୋଗ’ ଚଳିତ ବର୍ଷର ‘ଆନ୍ତର୍ଜାତିକ ଯୋଗ ଦିବସ’ର ଥିମ୍‌ ବୋଲି ପ୍ରଧାନମନ୍ତ୍ରୀ ମ‌ୋଦୀ କହିଛନ୍ତି। ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗଣତନ୍ତ୍ରର ଜନନୀ।

ଆମେ ଆମ ଗଣତାନ୍ତ୍ରିକ ଆଦର୍ଶକୁ ଓ ସମ୍ବିଧାନକୁ ଶ୍ରେଷ୍ଠ ବୋଲି ବିବେଚନା କରନ୍ତି। ତେଣୁ ଆମେ କଦାପି ଜୁନ୍‌ ୨୫ ତାରିଖକୁ ଭୁଲି ପାରିବା ନାହିଁ। ‌ଏହି ଦିନ ଦେଶରେ ଜରୁରୀ ପରସ୍ଥିତି ଜାରି କରାଯାଇଥିଲା।ଏହା ଥିଲା ଭାରତ ଇତିହାସର କଳଙ୍କିତ ସମୟ। କୋଟି କୋଟି ଜନତା ଏହାକୁ ପ୍ରବଳ ବିରୋଧ କରିଥିଲେ। ସେ ସମୟରେ ଗଣତନ୍ତ୍ରର ସମର୍ଥକମାନେ ଯେମିତି ନିର୍ୟାତିତ ହୋଇଥିଲେ ତାହା ମନେପଡ଼ିଲେ ଆଜି ବି କଷ୍ଟଲାଗେ ବୋଲି ସେ କହିଛନ୍ତି।ପରିଚାଳନା କ୍ଷେତ୍ରରେ ଆମେ ଛତ୍ରପତି ଶିବାଜୀଙ୍କୁ ଲକ୍ଷ୍ୟ କରିବା ଉଚିତ। ସାହସିକତା ସହିତ ତାଙ୍କ ଶାସନରୁ ବହୁତ କିଛି ଶିଖିବାକୁ ଅଛି। ତାଙ୍କର ପରିଚାଳନା ଦକ୍ଷତା, ବିଶେଷକରି ଜଳ ଓ ନୌସେନା ପରିଚାଳନା ଭାରତର ଗୌରବ ହୋଇ ରହିଛି। ଜାପାନର ମିୟାୱାକି କୃଷି ପଦ୍ଧତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉର୍ବର ମୃତ୍ତିକା ନ ଥିବା ଅଞ୍ଚଳକୁ ସବୁଜସୁନ୍ଦର କରିବା ଲାଗି ‘ମିୟାୱାକି’ ଅତି ଉତ୍ତମ ଉପାୟ। ଧୀରେ ଧୀରେ ଭାରତରେ ମଧ୍ୟ ଏହି ପଦ୍ଧତି ଦେଖାଗଲାଣି।

କେରଳର ଶିକ୍ଷକ ରାଫି ରାମନାଥ ଏହି ପଦ୍ଧତିରେ ୧୧୫ ପ୍ରକାରର ଗଛବୃଚ୍ଛ ଥିବା ‘ବିଦ୍ୟାବନମ୍‌’ ନାମରେ କ୍ଷୁଦ୍ର ଅରଣ୍ୟ ସୃଷ୍ଟି କରୁଛନ୍ତି। ଅନେକ ଛାତ୍ରଛାତ୍ରୀ ଓ ଲୋକ‌େ ଏଡି ‘ମିୟାୱାକି’ ଅରଣ୍ୟକୁ ବୁଲି ଯାଉଛନ୍ତି। ଏହି ପଦ୍ଧତି ଅବଲମ୍ବନ କରିବା ଲାଗି ନଗରାଞ୍ଚଳବାସୀଙ୍କୁ ମୁଁ ଅନୁରୋଧ କରୁଛି। ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ବେତାର କାର୍ୟ୍ୟକ୍ରମ ‘ମନ୍‌ କୀ ବାତ୍‌’ ସାଧାରଣତଃ ପ୍ରତି ମାସର ଶେଷ ରବିବାର ଦିନ ପ୍ରସାରିତ ‌ହୋଇଥାଏ। କିନ୍ତୁ, ଜୁନ୍‌ ୨୧ରୁ ୨୪ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଉଥିବାରୁ ଏମାସର ‘ମନ୍‌ କୀ ବାତ୍‌’ ୩ୟ ରବିବାର ଦିନ ପ୍ରସାରଣ କରାଗଲା।