ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ପୁରୀ ଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୩-୨୪ ଶିକ୍ଷା ବର୍ଷରେ ୩ଟି ପାଠ୍ୟକ୍ରମରେ ଏକକ ପିଜି ପ୍ରବେଶିକା ମାଧ୍ୟମରେ ନାମଲେଖା ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପଫର୍ମାନ୍ସ ଟ୍ରାକିଂ ସେଲ୍କୁ ଚିଠି ଲେଖିଛନ୍ତି। ଜୁନ୍ ଶେଷରେ ଆବେଦନ ପ୍ରକ୍ରିୟା ସରି ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପ୍ରବେଶିକା ଓ ନାମଲେଖା ଶେଷ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଥାଉକି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଆ ବିଶ୍ୱବିଦ୍ୟାଳୟର ତ୍ୱରିତ କାର୍ୟ୍ୟକ୍ଷମ ନେଇ ସମୀକ୍ଷା କରିଥିବାବେଳେ ଏହାକୁ ଏକ ଅତ୍ୟାଧୁନିକ ହାଇଟେକ୍ ବିଶ୍ୱବିଦ୍ୟାଳୟର ରୂପ ଦେବା ପାଇଁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବା ସହ ଆବଶ୍ୟକ ସ୍ଥଳେ ବିଭିନ୍ନ କଲେଜରୁ କର୍ମଚାରୀଙ୍କୁ ଡେପୁଟେସନରେ ପଠାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଉପଦେଷ୍ଟା ବୋର୍ଡ଼, ସିଲାବସ୍ କମିଟି ଓ ଅନ୍ୟାନ୍ୟ ଆନୁଷଙ୍ଗିକ କମିଟି ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି।
ପ୍ରାଥମିକ ସ୍ଥିତିରେ ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀ ଏଠାରେ ସ୍ନାତ୍ତକୋତ୍ତର ସହ ପିଏଚ୍ଡି ପାଠ୍ୟକ୍ରମରେ ନାମ ଲେଖାଇବେ। ଛାତ୍ରଛାତ୍ରୀ ଓଡ଼ିଆ ଭାଷା ଏବଂ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଅଧ୍ୟୟନ ଆଦି ୩ ପାଠ୍ୟକ୍ରମରେ ଚଳିତ ବର୍ଷରୁ ଏମ୍ଏ ଓ ପିଏଚ୍ଡି ଅଧ୍ୟୟନ କରିବେ।




admin 