ସବୁଠୁ ପ୍ରଦୂଷିତ ଭୁବନେଶ୍ବର: ସିପିସିବି ରିପୋର୍ଟ

ସବୁଠୁ ପ୍ରଦୂଷିତ ଭୁବନେଶ୍ବର: ସିପିସିବି ରିପୋର୍ଟ

ଭୁବନେଶ୍ବର: ଭୁବନେଶ୍ବର ବାୟୁ ଅଧିକ ପ୍ରଦୂଷିତ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଦ୍ବାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ୭ଟି ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ଭୁବନେଶ୍ବର ଏବେ ସବୁଠାରେ ଆଗରେ ରହିଛି। ଏଠାକାର ବାୟୁ ଅସ୍ବାସ୍ଥ୍ୟକର ହେବା ଆରମ୍ଭ କରିଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, ଓଜୋନ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି। ଯାହାକି ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌ କର୍କଟ, ଯକ୍ଷ୍ମା, ଆଜ୍‌ମା ପରି ରୋଗକୁ ନିମନ୍ତ୍ରଣ କରୁଛି। ଗୋଟିଏ ସମୟରେ କଳିଙ୍ଗନଗର, ତାଳଚେର, ଅନୁଗୁଳ ପରି ଶିଳ୍ପାଞ୍ଚଳ ସହରର ବାୟୁ ପ୍ରଦୂଷଣ ମାତ୍ରା ଶୀର୍ଷରେ ରହୁଥିଲା। ତେବେ ବର୍ତ୍ତମାନ ରାଜଧାନୀର ବାୟୁ ଯେଉଁଭଳି ଭାବେ ପ୍ରଦୂଷିତ ହେଉଛି ତାହା ଭବିଷ୍ୟତରେ ଦିଲ୍ଲୀ ପରିସ୍ଥିତିର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଶେଷଜ୍ଞ ଏବେଠାରୁ ଭବିଷ୍ୟବାଣୀ କଲେଣି।

ଚିନ୍ତାର କାରଣ ହେଉଛି ଯେ ଭୁବନେଶ୍ବରର ଅଧିକ ଜନଗହଳିପୂର୍ଣ୍ଣ ଅଞ୍ଚଳର ବାୟୁ ଅଧିକ ପ୍ରଦୂଷିତ ହୋଇଛି। ଗତ ଅକ୍ଟୋବର ମାସରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) ରିପୋର୍ଟ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ଖଣ୍ଡଗିରି ଅଞ୍ଚଳ ଅଧିକ ପ୍ରଦୂଷିତ। ଏଠାରେ ସେଭଳି ବଡ଼ ଶିଳ୍ପ ସଂସ୍ଥା ନ ଥିଲେ ମଧ୍ୟ ଜାତୀୟ ରାଜପଥ-୧୬ରେ ନିୟମିତ ଚଳପ୍ରଚଳ କରୁଥିବା ଭାରିଯାନ ସହିତ ନିର୍ମାଣ କାମ ଯୋଗୁଁ ବାୟୁ ଅଧିକ ପ୍ରଦୂଷିତ ହୋଇଛି। ୟୁନିଟ୍‌-୧ ନିକଟବର୍ତ୍ତୀ ଅଞ୍ଚଳ ଅନ୍ୟତମ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହୋଇଛି। ଏଠାକାର ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ପିଏମ୍‌-୧୦ର ମାତ୍ରା ୧୫୦ ପାଖାପାଖି ପହଞ୍ଚି ଯାଉଛି। ଦିନେ ଦିନେ ଖଣ୍ଡଗିରିର ପିଏମ୍‌-୧୦ର ମାତ୍ରା ୧୫୦ ଉପରକୁ ଚାଲିଯାଉଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳ ସମେତ ସଂଲଗ୍ନ ପଳାସୁଣିର ବାୟୁର ମାନ ମଧ୍ୟ ଦିନକୁ ଖରାପ ହେଉଛି। ଶିଳ୍ପାଞ୍ଚଳକୁ ପ୍ରତିଦିନ ଶତାଧିକ ଭାରିଯାନ ପ୍ରବେଶ କରିବା ଦ୍ବାରା ଉଡ଼ୁଥିବା ଧୂଳିକଣା, ଜାତୀୟ ରାଜପଥରେ ଚଳପ୍ରଚଳ କରୁଥିବା ଯାନବାହନ ଓ ବିନା କଟକଣାରେ କୋଠା ନିର୍ମାଣ ଏହି ଅଞ୍ଚଳରେ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।