ବଡ଼ ଖବର: ମନମୋହନ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ମନମୋହନ ସାମଲ ରାଜ୍ୟସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ମନମୋହନଙ୍କୁ ରାଜ୍ୟ ସଭାପତିଭାବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ନିଯୁକ୍ତ କରିଛନ୍ତି । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନ ସାମଲ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଥିଲେ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ସରକାର ଥିବାବେଳେ ଶ୍ରୀ ସାମଲ ମନ୍ତ୍ରୀ ମଧ୍ୟ ଥିଲେ । ଗତ ଧାମନଗର ନିର୍ବାଚନରେ ବିଜେପିକୁ ବାଜିମାତ କରିବାରେ ଶ୍ରୀ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା । ଆଗକୁ ୨୦୨୪ ନିର୍ବାଚନ । ଏହା ପୂର୍ବରୁ ରାଜ୍ୟ ସଭାପତି ପଦରେ ଜଣେ ଅଭିଜ୍ଞ ନେତାଭାବେ ଶ୍ରୀ ସାମଲଙ୍କୁ ବସାଯାଇଛି । ନୂଆ ମଙ୍ଗୁଆଳଭାବେ କିଭଳି ଦଳକୁ ସୁସଙ୍ଗଠିତ କରାଯିବ ତାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।
ବିଜେପି ସଭାପତିଭାବେ ନିଯୁକ୍ତି ପରେ ଶ୍ରୀ ସାମଲ କହିଛନ୍ତି ଯେ, ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ସମସ୍ତଙ୍କ ସହଯୋଗ କାମନା କରିିବି । ରାଜ୍ୟରେ ଚାଲିଥିବା ସରକାର ଅନ୍ୟାୟ ଓ ଅତ୍ୟାଚାରରେ ବୁଡ଼ିଛି । ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତି ବିରୋଧରେ ବିଜେପି ଲଢେଇ କରିବ । ଓଡ଼ିଶାରେ ଦୁର୍ନୀତି ଗ୍ରସ୍ତ ଶାସନ ଚାଲିଛି । ତାକୁ ୨୦୨୪ରେ ପରିବର୍ତ୍ତନ କରାଯିବ । ଲୋକଙ୍କ ଅପେକ୍ଷା ରହିଛି ବିକଳ୍ପ ସରକାର । ଆମେ ସେହି ବିକଳ୍ପ ହେବୁ । ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବି । ସମସ୍ତଙ୍କ ସହଯୋଗ କାମନା କରିିବି ବୋଲି ଶ୍ରୀ ସାମଲ କହିଛନ୍ତି ।