ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ : ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା । ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯାଇପାରେ । ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ । ଆଜି ମ୍ୟାଚ ହେବାକୁ ଥିବା ଗୁଜରାଟର ଅହମ୍ମଦାବାଦର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ହୁଏ, ଆଉ ଖେଳ ହୋଇନପାରେ ତେବେ ଚେନ୍ନାଇର ପଞ୍ଚମ ଥର ପାଇଁ ଆଇପିଏଲ ଫାଇନାଲ ଜିତିବାର ଆଶା ଧୁଳିସାତ୍ ହୋଇଯାଇପାରେ ।
ଗତକାଲି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ହେବାର ଥିଲା । କିନ୍ତୁ ଲଗାତାର ସନ୍ଧ୍ୟା ୬ଟାରୁ ୮ଟା ୨ ଘଣ୍ଟା ବର୍ଷା ହୋଇଥିଲା । ୪୧ ମିଲିମିଟର ବର୍ଷା ହେବା ପରେ ମ୍ୟାଚ ଖେଳିବା ସମ୍ଭବପର ହୋଇନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ବାତିଲ କରାଯାଇଛି । ଆଜି ରିଜର୍ଭ ଦିନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯଦି ବର୍ଷା ହୁଏ ତେବେ ସବୁଠୁ କମ୍ ୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇପାରେ । ଆଉ ଯଦି ଖେଳିବା ଆଦୌ ସମ୍ଭବପର ନହୁଏ, ତେବେ ପଏଂଟ ଆଧାରରେ ଗୁଜରାଟକୁ ବିଜେତା ଘୋଷିତ କରାଯିବ । ଏନେଇ ଦୁଇ ଦଳର କୋଚଙ୍କ ସହ ଅମ୍ପୟାରମାନେ କଥା ହୋଇଥିବା ସୂଚନା ମଳିଛି ।