ଫାଇନାଲ ଖେଳିବାକୁ ଲଢେ଼ଇ, ଗୁଜରାଟ-ମୁମ୍ବାଇ ମୁହାଁମୁହିଁ

ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଟୁର୍ଣ୍ଣାମେଣ୍ଟରେ ୭୨ଟି ମ୍ୟାଚ୍ ଖେଳାଯାଇଛି। ଶେଷ ୨ଟି ମ୍ୟାଚ୍ ବାକିଅଛି। ଶୁକ୍ରବାର ବିଶ୍ବର ଏହି ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ ଓ ସର୍ବାଧିକ ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ କ୍ବାଲିଫାୟର-୨ ମ୍ୟାଚ୍ ଖେଳାଯିବ। ମଙ୍ଗଳବାର ପ୍ରଥମ କ୍ବାଲିଫାୟରରେ ଚେନ୍ନଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହୋଇଥିବା ଗୁଜରାଟ ଟାଇଟାନ୍ସ ପାଖରେ ଫାଇନାଲ ଖେଳିବାର ୨ୟ ସୁଯୋଗ ରହିଛି।
ଅନ୍ୟପକ୍ଷରେ ଲିଗ୍ ପର୍ୟ୍ୟାୟରେ ୪ର୍ଥ ସ୍ଥାନରେ ରହି ବହୁ କଷ୍ଟରେ ପ୍ଲେଅଫ୍ରେ ପହଞ୍ଚିଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ୮୧ ରନ୍ର ବଡ଼ ବ୍ୟବଧାନରେ ପରାସ୍ତକରି କ୍ବାଲିଫାୟର-୨ରେ ପହଞ୍ଚିଛି। ତେଣୁ ଫର୍ମକୁ ଦେଖିବାକୁ ଗଲେ ମୁମ୍ବାଇ ଆଗରେ ରହିଛି। ମୁମ୍ବାଇ ତା’ର ଶେଷ ୪ଟି ମ୍ୟାଚ୍ରୁ ୩ଟି ଜିତିଛି। ଚଳିତ ସଂସ୍କରଣରେ ଗୁଜରାଟ ୧୫ଟି ମ୍ୟାଚ୍ ଖେଳି ୧୦ଟି ଜିତିଛି। ମୁମ୍ବାଇ ୧୫ ମ୍ୟାଚ୍ରୁ ୮ଟି ଜିତିଛି। ଆଇପିଏଲ୍ ଇତିହାସରେ ପ୍ରଥମଥର ଗୁଜରାଟ ଟାଇଟାନ୍ସ ଚାପ ଅନୁଭବ କରିଛି। ଲିଗ୍ ପର୍ୟ୍ୟାୟର ଶ୍ରେଷ୍ଠ ଦଳ ଗୁଜରାଟ ପ୍ରଥମ କ୍ବାଲିଫାୟରରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିଲା। ଗୁଜରାଟ ସମସ୍ତ ବିଭାଗରେ ଶକ୍ତିଶାଳୀ ରହିଛି। ଶ୍ରେଷ୍ଠ ଓପ୍ନିଂ ବ୍ୟାଟର ଶୁବ୍ମାନ ଗିଲ୍ ଓ ଶ୍ରେଷ୍ଠ ଓପ୍ନିଂ ବୋଲର ମହମ୍ମଦ ସାମି ଗୁଜରାଟ ଦଳର। ମୋହିତ ଶର୍ମା ନିୟମିତ ଭାବେ ଭଲ ବୋଲିଂ କରୁଛନ୍ତି। ଗିଲ୍ଙ୍କୁ ରୋକିବା ମୁମ୍ବାଇ ପାଇଁ ଆହ୍ବାନ ହୋଇପାରେ। ମୁମ୍ବାଇର ଶକ୍ତି ହେଲା ଏହାର ବିସ୍ଫୋରକ ବ୍ୟାଟ୍ସମ୍ୟାନ। କାମେରନ୍ ଗ୍ରୀନ୍ ଶେଷ ଲିଗ୍ ମ୍ୟାଚ୍ରେଅପରାଜିତ ଶତକ ମାରିବା ପରେ ଗତ ମ୍ୟାଚ୍ରେ ଦଳ ପାଇଁ ସର୍ବାଧିକ ରନ୍ କରିଥିଲେ।
ଅଧିନାୟକ ରୋହିତ ଶର୍ମା ଓ ଈଶାନ୍ କିଷନ୍ ଆରମ୍ଭରୁ ଦ୍ରୁତଗତିରେ ସ୍କୋର୍ କରିପାରନ୍ତି। ତେବେ ଗୁଜରାଟ ପାଇଁ ଚିନ୍ତାର କାରଣ ହେଲେ ସୂର୍ୟ୍ୟକୁମାର ଯାଦବ। ସୂର୍ୟ୍ୟ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୪୪ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ରେଟ୍ ୧୮୩.୭୮। ଟିମ୍ ଡେଭିଡ୍ ଫିନିସର ଭାବେ ରହିଛନ୍ତି। ନେହଲ ୱଧେରା ଭଲ ବ୍ୟାଟିଂ କରୁଛନ୍ତି। ଭେଟେରାନ୍ ଲେଗ୍ସ୍ପିନର ପୀୟୁଷ ଚାୱଲା ୨୨ଟି ୱିକେଟ ନେଇଛନ୍ତି। ଆକାଶ ମଧୱାଲଙ୍କଠାରୁ ମୁମ୍ବାଇ ଭଲ ବୋଲିଂର ଆଶାରଖିଛି। ଅହମ୍ମଦାବାଦର ପିଚ୍ ବ୍ୟାଟିଂ ସହାୟକ। ତେଣୁ ମ୍ୟାଚ୍ରେ ଅଧିକ ରନ୍ ହୋଇପାରେ। ଉଭୟ ଦଳ ୯ଟି ମ୍ୟାଚ୍ରେ ରନ୍ର ପିଛାକରି ୬ଟି ଲେଖାଏଁ ଜିତିଛନ୍ତି। ତେଣୁ ଏଥର ମଧ୍ୟ ଟସ୍ ଜିତି ଉଭୟ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇପାରନ୍ତି।