ସ୍ବାମୀ ସ୍ତ୍ରୀ ଏମିତି କରନ୍ତୁ ସମ୍ପର୍କ ମଜବୁତ ଓ ସୁନ୍ଦର୍
ପତିପତ୍ନୀ ପରସ୍ପର ଠାରୁ କିଛି ଆଶା ରଖିବା ସ୍ବାଭାବିକ କଥା। କିନ୍ତୁ କେତେକ କ୍ଷେତ୍ରରେ ଅତ୍ୟଧିକ ଆଶା କରିବା ଅବାସ୍ତବ ହୋଇଥାଏ ଯାହା ସମ୍ପର୍କକୁ ଖରାପ କରିଥାଏ। ଏଭଳି ସ୍ଥିତିରେ ନିଜ ଆଶା ଆକାଂକ୍ଷା ନେଇ ସାଥୀଙ୍କ ସହ ଶେୟାର କରିବା ଦରକାର। ଏହା ସହ ସାଥୀ ଜଣକ ଆପଣଙ୍କ ଆଶା ପୂରଣ କରିପାରିବେ କି ନାହିଁ ସେନେଇ ଜାଣିବା ବି ଜରୁରୀ। କାରଣ ସବୁ ଆଶାକୁ ସାଥୀ ପୂରା କରି ନ ପାରିଲେ ଧୀରେ ଧୀରେ ମନାନ୍ତର ସୃଷ୍ଟି ହୋଇଥାଏ। ଏହି କାରଣରୁ କିଛିଦିନ ପରେ ସମ୍ପର୍କରେ ଫାଟ ହେବାର ଆଶଙ୍କା ବି ଥାଏ। ତେଣୁ ଏଭଳି କିଛି ବିଶେଷ କ୍ଷେତ୍ରରେ ଆପଣ ସାଥୀଙ୍କଠାରୁ କୌଣସି ଆଶା ରଖିବା ଠିକ୍ ହେବ ନାହିଁ।
ସବୁବେଳେ ସମୟ : ବିବାହ ପରେ ସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ସବୁଦିନ ଏହା ସମ୍ଭବ ହୋଇ ନ ଥାଏ। କାରଣ ନିଜ ନିଜ କାମ ପାଇଁ ବି ପରସ୍ପର ସମୟ ଦେଇଥାନ୍ତି। ଏହି ଦୃଷ୍ଟିରୁ ସାଥୀଙ୍କ ପାଇଁ ଅନେକ ସମୟରେ ଆଦୌ ସମୟ ବାହାରି ନ ଥାଏ। ତେଣୁ କୌଣସି ପରିସ୍ଥିତିରେ ବି ସବୁବେଳେ ସବୁ ସମୟ ଏକାଠି କଟାଇବା ପାଇଁ ଇଚ୍ଛା ରଖିବା ଅବାସ୍ତବ ହୋଇପାରେ। ବରଂ ସାଥୀଙ୍କ ସହ ସମୟ କଟାଇବାର ସୁଯୋଗ ମିଳିଲେ ସେହି ସମୟରେ ଭରପୂର ଆନନ୍ଦ ଉଠାଇ ନିଅନ୍ତୁ। ମାତ୍ର ସବୁବେଳେ ସାଥୀଙ୍କୁ ସମୟ ବାହାର କରି ପାଖରେ ରହିବାକୁ କହିବାର ଆଶା ରଖିବା ଠିକ୍ ନୁହେଁ। ଏପରି ଆଶା ବହୁ କଷ୍ଟ ଦେଇଥାଏ ଯାହା ଉଭୟଙ୍କ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ।
ସବୁବେଳେ ସମର୍ଥନ: ସାଥୀ ଯେ ସବୁ ସମୟରେ ଏବଂ ସବୁ ପରିସ୍ଥିତିରେ ଆପଣଙ୍କ କଥା କିମ୍ବା ନିଷ୍ପତ୍ତିକୁ ସମର୍ଥନ କରିବେ ସେଭଳି ଆଶା ରଖିବା ଠିକ୍ ନୁହେଁ। କାରଣ ଆପଣଙ୍କ ଦୃଷ୍ଟିରେ ଯାହା ସମ୍ପୂର୍ଣ୍ଣ ଠିକ୍ ହୁଏତ ତାଙ୍କ ଦୃଷ୍ଟିରେ ତାହା ହୋଇ ନ ପାରେ। ତେଣୁ ଏଭଳି ଏକ ଅବାସ୍ତବ ଆଶା ରଖିଲେ ନିଜର ମନ ଖରାପ ହେବ ଏବଂ ସମ୍ପର୍କ ଖରାପ ହେବା ଆଶଙ୍କା ସୃଷ୍ଟି ହୋଇପାରେ। ଆଶା ଅନୁସାରେ ସାଥୀଙ୍କ ଠାରୁ ଉତ୍ତର ଅଥବା ବ୍ୟବହାର ନ ପାଇଲେ ଖୁବ୍ କଷ୍ଟ ପାଇପାରନ୍ତି। ଏହି କାରଣରୁ ହୁଏତ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ କିମ୍ବା ମତପାର୍ଥକ୍ୟ ହୋଇପାରେ। ତେଣୁ ସମୟ ପୂର୍ବରୁ ଏନେଇ ନିଜେ ସଚେତନ ରହି ସେହି ଅନୁସାରେ ନିଜ ବ୍ୟବହାର ବଦଳାଇ ନେବା ଦରକାର। ଫଳରେ ସମ୍ପର୍କ ଖରାପ ହେବ ନାହିଁ।
ବେଳେବେଳେ ସ୍ବାମୀସ୍ତ୍ରୀ ଉଭୟ ପରସ୍ପର ପ୍ରତି ଏଭଳି ଏକ ଆଶା ରଖିଥାନ୍ତି ଯେ ସେମାନେ ସବୁ ସମୟରେ ନିଜର ଗୁରୁତ୍ୱ ଅଧିକ ବୋଲି ଭାବିଥାନ୍ତି। ମାତ୍ର ପରିସ୍ଥିତି ଅନୁସାରେ ହୁଏତ ଆପଣଙ୍କ ପ୍ରତି ସାଥୀଙ୍କର ବ୍ୟବହାର ସାମାନ୍ୟ ପରିବର୍ତ୍ତନ ହୋଇପାରେ। ସେ ସମୟରେ ମନରେ କୌଣସି ବିପରୀତ ଚିନ୍ତାଧାରା ଆଣିବା ଆଦୌ ଠିକ୍ ହେବ ନାହିଁ। ବରଂ ସକାରାତ୍ମକ ଦୃଷ୍ଟିରେ ଚିନ୍ତାକରି ଆପଣ ସାଥୀଙ୍କ ହୃଦୟର ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କାରଣ ଅନେକ ସମୟରେ ପରିବାର ଲୋକଙ୍କ ପ୍ରତି ଅଗ୍ରାଧିକାର ଭିତ୍ତିରେ ସବୁ କର୍ତ୍ତବ୍ୟ କରିବାକୁ ହୋଇଥାଏ। ସେସମୟରେ ସାଥୀ ଜଣକ ଆପଣଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେବେ ବୋଲି ଆଶା ରଖିବା ଠିକ୍ ନୁହେଁ।
ମନ ପଢ଼ିବା: ପରସ୍ପର ପ୍ରତି ଏକ ଦୃଢ଼ ବିଶ୍ୱାସ ଆଉ ପ୍ରେମ ଭାବ ରହିଥାଏ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ। ତେଣୁ ବିଶ୍ୱାସର ଆଧାରକୁ ଆଦୌ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ। ଏପରି ହେଲେ ଆପଣ ନିଜ ସାଥୀଙ୍କ ମନର ଭାବକୁ ବୁଝିପାରିବେ। ଏହି ଦୃଷ୍ଟିରୁ ଆପଣଙ୍କ ସାଥୀ ହୁଏତ ଆପଣଙ୍କ ପ୍ରତି ସାମାନ୍ୟ କ୍ରୋଧ କିମ୍ବା ବିପରୀତ ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ମାତ୍ର ଏଭଳି ସମୟରେ ହଠାତ୍ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ମନର ଅବସ୍ଥାକୁ ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପରେ ଆପଣ ହୁଏତ ଭୁଲ୍ ଠିକ୍ର ବିଚାର କରି ନିଷ୍ପତ୍ତି ନେଇପାରିବେ। ଏମିତି ବି ହୋଇପାରେ କେବେ କେବେ ନିଜେ କ’ଣ ଚାହୁଁଛନ୍ତି ସେନେଇ ଭଲଭାବେ ବୁଝିପାରନ୍ତି ନାହିଁ ବରଂ ବିରକ୍ତ ହୁଅନ୍ତି। ପ୍ରକୃତରେ ଆପଣ କ’ଣ ଚାହୁଁଛନ୍ତି ସେନେଇ ପ୍ରଥମେ ଚିନ୍ତାକରିବା ପରେ ହିଁ ସାଥୀଙ୍କ ଆଗରେ ମନଖୋଲି କଥା ହୁଅନ୍ତୁ। ନଚେତ୍ ସମ୍ପର୍କରେ ହୁଏତ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ।




admin 