ପୁଣି ଗଜରାଜ ମୃତ୍ୟୁ

ପୁଣି ଗଜରାଜ ମୃତ୍ୟୁ

ଭଞ୍ଜନଗର: ସ୍ଥାନୀୟ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର ବିଞ୍ଝଗିରୀ ବିଟ୍ ଅଧୀନ ଗମ୍ଭାରିଗୋଛା ନିକଟ ଝିଲିମିଲି କ୍ଷୁଦ୍ର ଜଳ ପ୍ରକଳ୍ପ ପାଖ ଚାଷ ଜମିରେ ଏକ ମାଖନା ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ । ମୃତ ମାଖନା ହାତୀର ବୟସ ୧୦ ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ହାତୀର ଏଭଳି ଅସ୍ୱାଭାବିକ ମୃତ୍ୟୁ ପଛରେ କ’ଣ କାରଣ ରହିଛି ? ସେ ସଂପର୍କରେ ଅନୁଧ୍ୟାନ କରାଯାଉଥିବା ଡିଏଫ୍ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ହାତୀ ମୃତ୍ୟୁ ଘଟଣା ଜଣାପଡ଼ିବା ପରେ ଡିଏଫ୍ଓ ବେହେରା, ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ, ମୁଜାଗଡ଼ ରେଞ୍ଜ ଅଧିକାରୀ ବିମ୍ବାଧର ସାହୁ ଅନ୍ୟ ବନ କର୍ମଚାରୀଙ୍କୁ ନେଇ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଯେହେତୁ ହାତୀଟି ଏକ ଜଳ ଭଣ୍ଡାର ପାଖ ଚାଷ ଜମିରେ ପଡ଼ିଛି, ତେଣୁ ହୁଏତ ଜନ୍ତୁ ଶିକାରୀଙ୍କ ଦ୍ୱାରା ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ତା’ର ଫାଶରେ ପଡ଼ି ତାର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।