ରାଜ୍ୟ ସରକାରଙ୍କ ସତ୍ୟପାଠ: ଏବେ ଅଳଙ୍କାର ଗଣିବା ଆବଶ୍ୟକ ନାହିଁ

ରାଜ୍ୟ ସରକାରଙ୍କ ସତ୍ୟପାଠ: ଏବେ ଅଳଙ୍କାର ଗଣିବା ଆବଶ୍ୟକ ନାହିଁ

କଟକ: ଭିତର, ବାହାର ଏବଂ ଚଳନ୍ତି ରତ୍ନଭଣ୍ଡାରରେ ଠାକୁରଙ୍କ ସବୁ ମୂଲ୍ୟବାନ ଅଳଙ୍କାର ଠିକ୍‌ଠାକ୍‌ ରହିଛି । ଏଣୁ ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ହିସାବ ନେବାକୁ କମିଟି ଗଠନ କରିବାର କୌଣସି ଆବଶ୍ୟକତା ନାହିଁ । ଭିତର ରତ୍ନ ଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ୍‌ କରିବା ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ହାଇକୋର୍ଟରେ । ଏହାର ଅର୍ଥ ହେଉଛି ସରକାର ଏବେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ନାହାନ୍ତି । ସତ୍ୟପାଠରୁ ଏକଥା ସ୍ପଷ୍ଟ ହେଉଛି । ୪୫ ବର୍ଷ ତଳେ ୧୯୭୮ ମସିହାରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାରର ହିସାବ ନିଆଯାଇଥିଲା । ସରକାର ଦର୍ଶାଇଛନ୍ତି, ରତ୍ନଭଣ୍ଡାରରେ ପାଖପାଖି ଦେଢ଼ କ୍ୱିଣ୍ଟାଲ (୧୪୯ କେଜି ୪୬୦ ଗ୍ରାମ) ସୁନା ଓ ୧୮୪ କେଜି ରୂପା ରହିଛି । ସତ୍ୟପାଠରେ ଦିଆଯାଇଥିବା ଅଳଙ୍କାର ତାଲିକାକୁ ଆକଳନ କଲେ ଏ ହିସାବ ମିଳୁଛି ।

ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ମରାମତି ମାମଲାରେ ଆଜି ଗୋଟେ ପଟେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ଗବେଷଣା ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଅନ୍ୟପକ୍ଷରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଏହି ଜବାବ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ୟ୍ୟ କରିଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ନୀତି ପ୍ରଶାସକ ହାଇକୋର୍ଟରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ କେତେ ସୁନା, ରୁପା ଅଳଙ୍କାର ରହିଛି ତାହାର ଏକ ବିସ୍ତୃତ ତଥ୍ୟ ଦିଆଯାଇଛି ।