ନକ୍ସଲ ନିପାତ ପାଇଁ ନିୟୋଜିତ ହେବେ କମାଣ୍ଡୋ
ନୂଆଦିଲ୍ଲୀ : ନକ୍ସଲ ନିପାତ ପାଇଁ ନିୟୋଜିତ ହେବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)। ଛତିଶଗଡ଼ର ଦାନ୍ତେୱାଡ଼ାରେ ଗତ ସପ୍ତାହରେ ନକ୍ସଲମାନଙ୍କ ଆକ୍ରମଣରେ ୧୦ ଜଣ ଯବାନ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ନକ୍ସଲମାନଙ୍କୁ ଦମନ କରିବା ପାଇଁ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଆହୁରି କଡ଼ା ଆଭିମୁଖ୍ୟ ଆପଣାଇବାକୁ ଯୋଜନା କରିଛି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଏନ୍ଏସ୍ଜି କମାଣ୍ଡୋମାନଙ୍କୁ ମଧ୍ୟ ନକ୍ସଲ ଦମନ ପାଇଁ ନିୟୋଜିତ କରାଯିବ।
ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏନ୍ଏସ୍ଜି କମାଣ୍ଡୋ ବିଶ୍ବର ପ୍ରମୁଖ ୫ଟି ଫୋର୍ସ ମଧ୍ୟରେ ଏହା ରହିଛି। ନକ୍ସଲ ପ୍ରବଣ ଇଲାକାରେ ଏନ୍ଏସ୍ଜି କମାଣ୍ଡୋମାନଙ୍କୁ ମୁତୟନ ପାଇଁ ମନ୍ତ୍ରାଳୟ ଯୋଜନା କରୁଛି। ହାଇଦ୍ରାବାଦରେ ମୁତୟନ ଏନ୍ଏସ୍ଜି କମାଣ୍ଡୋ ଟିମ୍ ଗତ କିଛି ମାସ ହେଲା ଆଣ୍ଟି-ନକ୍ସଲ ଅପରେସନ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଗତ ବର୍ଷ ମଧ୍ୟ ଏନ୍ଏସ୍ଜିର ଗୋଟିଏ ଟିମ୍ ଆନ୍ଧ୍ରପ୍ରଦେଶରେ ଗ୍ରେ- ହାଉଣ୍ଡ ସହିତ ମିଶି ନକ୍ସଲ ବିରୋଧୀ ଅଭିଯାନର ତାଲିମ ନେଇଥିଲେ।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ନକ୍ସଲମାନଙ୍କ ବିରୋଧରେ ଜାରି ରହିଥିବା ଅପରେସନ୍ରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁନାହାନ୍ତି। ରାଜ୍ୟମାନଙ୍କ ପୁଲିସ ସହିତ କେନ୍ଦ୍ରୀୟ ପୁଲିସ ବାହିନୀ ଏବଂ କୋବ୍ରା ୟୁନିଟ୍ ପୂର୍ବ ଭଳି ଅପରେସନରେ ନିୟୋଜିତ ହେବେ। ଉଲ୍ଲେଖଯୋଗ୍ୟ ଯେ ନକ୍ସଲ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ବିବିଧ ଯୋଜନା କରୁଛନ୍ତି। । ୨୦୦୫ରୁ ଏପ୍ରିଲ ୨୦୧୪ ତୁଳନାରେ ମେ ୨୦୧୪ରୁ ଡିସେମ୍ବର ୨୦୨୨ ମଧ୍ୟରେ ଦେଶରେ ୫୨ ପ୍ରତିଶତ ନକ୍ସଲ ହିଂସା କମିଛି। ଏହି ଅବଧିରେ ସୁରକ୍ଷାକର୍ମୀମାନଙ୍କ ମୃତ୍ୟୁ ସଂଖ୍ୟା ୭୧ ପ୍ରତିଶତ ଓ ନାଗରିକମାନଙ୍କ ମୃତ୍ୟୁ ସଂଖ୍ୟା ୬୭ ପ୍ରତିଶତ ହ୍ରାସପାଇଛି। ଦେଶରେ ନକ୍ସଲ ପ୍ରବଣ ଜିଲ୍ଲାମାନଙ୍କର ସଂଖ୍ୟା ୨୨କୁ ମଧ୍ୟ ଖସିଛି।




admin 