ଆଜି ସବୁ ଥାନାରେ ଏତଲା ଦେବ ବିଜେପି
ଭୁବନେଶ୍ୱର:ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଉଠିଥିବା ବିବାଦ ଏବେ ନୂଆ ମୋଡ ନେଇଛି । ଲୋୟର ପିଏମଜିରେ ବିଜେପିର ଆନ୍ଦୋଳନବେଳେ ହୋଇଥିବା ଖଣ୍ଡଯୁଦ୍ଧରେ ପୁଲିସ ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ବିରୋଧର ଦଳ ଦେଇଥିବା ଏତଲା ପୁଲିସ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ପୁଲିସର ମାଡ଼ ଘଟଣାକୁ ବିରୋଧ କରି ଆଜି ରାଜ୍ୟବ୍ୟାପି ବିଜେପି ପକ୍ଷରୁ ଏତଲା ଦିଆଯିବ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ଓଡ଼ିଶାରେ ଏବେ ଏକଛତ୍ରବାଦୀ ଶାସନ ଚାଲିଛି । ସରକାରଙ୍କ ଅହଙ୍କାର ଚରମସୀମାରେ । କେହି ବିରୋଧ କଲେ, ସ୍ୱର ଚାପିବାର ଅସ୍ତ୍ର ସାଜିଛି ପୁଲିସ୍ । ଏହି ଅରାଜକତା ବିରୋଧରେ ଏକା ଲଢ଼ୁଛି ବିଜେପି । ଯାହାର ପରିମାଣ ଗତ ୨୮ ତାରିଖରେ ଆମ ଯୁବ ସେନାଙ୍କୁ ଭୋଗିବାକୁ ପଡି଼ଛି ।
ତଥାପି ଭାଙ୍ଗି ପଡି଼ବୁନି । ଏଥର ଲଢ଼େଇ ଆର୍ପାର୍ ହେବ । ଶୁକ୍ରବାର ରାଜ୍ୟର ସବୁ ଥାନାରେ ଏତଲା ଦେବୁ । ଆସନ୍ତା ୪ ତାରିଖରେ ସବୁ ଏସ୍ପିଙ୍କ ଅଫିସ ଆଗରେ ଧାରଣା ଦେବୁ । ଦରକାର ପଡି଼ଲେ, ଫଟୋ, ଭିଡିଓ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ସହ ଅଦାଲତଙ୍କ ଦ୍ୱାରସ୍ଥ ହେବୁ । ପୁଲିସର ପକ୍ଷପାତିତାକୁ ଯେମିତି ହେଲେ ପଦାରେ ପକାଇବୁ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ଏହା କହିଛନ୍ତି ।
ପୁଲିସର ଅମାନୁଷିକ କାଣ୍ଡ ବିରୋଧରେ ଅଭିଯୋଗ କରିବା ସତ୍ତେ୍ୱ ଏତଲା କପି ମିଳୁନି । ଏହା ପ୍ରତିବାଦରେ ଶୁକ୍ରବାର ବିଜେପି କର୍ମୀମାନେ ସବୁ ଥାନାରେ ପୁଲିସ ମହାନିର୍ଦ୍ଦେଶକ, ପୁଲିସ କମିଶନର ଏବଂ ଡିସିପିଙ୍କ ବିରୋଧରେ ଏତଲା ଦେବେ । ୪ତାରିଖରେ ସବୁ ଏସ୍ପି ଅଫିସ ଆଗରେ ଯୁବମୋର୍ଚ୍ଚା କର୍ମୀ ବିକ୍ଷୋଭ କରିବେ ।




admin 