ଓଡ଼ିଶା ବିକାଶ, କଥାରେ ନୁହେଁ କାମରେ କରନ୍ତି ନବୀନ : ବିଜେଡି
ଭୁବନେଶ୍ୱର: ମେଟ୍ରୋ ପ୍ରକଳ୍ପକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ଏହାର ଜବାବ ରଖିଛି ବିଜେଡି । ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ଓଡ଼ିଶା ବିକାଶ, କଥାରେ ନୁହେଁ କାମରେ କରନ୍ତି ନବୀନ ପଟ୍ଟନାୟକ । ଅପେକ୍ଷା କରନ୍ତୁ ନିଶ୍ଚିତ ଖୁବଶୀଘ୍ର ଓଡ଼ିଶାରେ ମେଟ୍ରୋ ଚାଲିବ । କାହିଁକି ଏମିତି କହୁଛନ୍ତି ଧର୍ମେନ୍ଦ୍ର କହିପାରିବେ ବୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ।
ମେଟ୍ରୋ ପ୍ରକଳ୍ପକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ କଟାକ୍ଷ କରିଥିଲେ । ମେଟ୍ରୋ ଲାଇନ୍ ଭିଡ଼ିଓରେ ଚାଲେନି କି ଭର୍ଚୁଆଲରେ ଚାଲିଲେ ହେବନି । ମେଟ୍ରୋ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହିଛନ୍ତି । ନିକଟରେ ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ ଡିଏମଆରସି ନିକଟରେ ଡିପିଆର ଦାଖଲ କରିଛନ୍ତି ।
ଆଉ ଏହି ଡିପିଆର ଦାଖଲ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବାର ଦିନକ ପରେ ହୋଇଛି । କେନ୍ଦ୍ରମନ୍ତ୍ରୀ ଏହା ପୂର୍ବରୁ ଏକ ସଭାରେ କହିଥିଲେ ଯେ, ମେଟ୍ରୋ ପ୍ରକଳ୍ପ କିଛି ବାବୁଙ୍କ ଫଟୋସୁଟରୁ ଆଗେଇ ପାରିବ ନାହିଁ । ଏହା ପରେ ରାଜ୍ୟ ସରକାର ଡିପିଆର ଦାଖଲ କରିଥିଲେ । ଆଉ ଏବେ ଧର୍ମେନ୍ଦ୍ର ପୁଣି ଥରେ କହିଛନ୍ତି ଏହି ପ୍ରକଳ୍ପ ତିଆରି ହେବା ପାଇଁ ହେଲେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ମେଟାଭର୍ସରେ ଚାଲିବ ନାହିଁ ।