ବିଗ୍ ବସରେ ବିବାଦୀୟ ଆୟେଶା ଖାନ ପାଇଲେ ଦଲକିରଙ୍କ ସହ କାମ କରିବାର ସୁଯୋଗ

ବିଗ୍ ବସରେ ବିବାଦୀୟ  ଆୟେଶା ଖାନ ପାଇଲେ ଦଲକିରଙ୍କ ସହ କାମ କରିବାର ସୁଯୋଗ

ମୁମ୍ବାଇ: ବିଗ୍ ବସ୍ ୧୭ରେ ପ୍ରବେଶ କରିବା ପରେ ଆୟେଶା ଖାନ ଚର୍ଚ୍ଚାକୁ ଆସିଥିଲେ। ବିଶେଷ କରି ଷ୍ଟାଣ୍ଡଅପ କମେଡିଆନ୍ ମୁନାୱର ଫାରୁକିଙ୍କ ସହ ଥିବା ତାଙ୍କର ସମ୍ପର୍କକୁ ନେଇ ସେ ବିବାଦରେ ଥିଲେ। ତେବେ ତାଙ୍କୁ ଏହି ବିବାଦ ଚର୍ଚ୍ଚାକୁ ଆଣିଥିବା ବେଳେ ଏବେ ତାଙ୍କ ପାଖକୁ ଅନେକ ଫିଲ୍ମର ଓ ମ୍ୟୁଜିକ ଭିଡିଓର ଅଫର ଆସୁଥିବା ଜଣାପଡ଼ିଛି। ସୋ’ ଛାଡିବା ପରେ ତାଙ୍କୁ ସୁପରଷ୍ଟାର ଦଲକିର୍ ସଲମାନଙ୍କ ସହ କାମ କରିବାର ସୁଯୋଗ ମିଳିଥିବା ସାମ୍ନାକୁ ଆସିଛି।

ଚର୍ଚ୍ଚା ହେଉଛି ଯେ, ଆୟେଶା ଏହି ଫିଲ୍ମରେ ନଜର ଆସିବେ। ମୁଖ୍ୟ ଅଭିନେତ୍ରୀ ମୀନାକ୍ଷୀ ଚୌଧୁରୀ ଥିବା ବେଳେ ଆୟେଶାଙ୍କୁ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମଟି ତେଲୁଗୁ, ମାଲୟାଲମ, ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ୍ ହେବ। କିଛି ଦିନ ତଳେ ଫିଲ୍ମର ପୋଷ୍ଟର ସେୟାର କରିଥିଲେ ଦଳକିର୍। ତେବେ ଫିଲ୍ମରେ କେତେ ସମୟ ପାଇଁ ଏବଂ କେଉଁ ଚରିତ୍ରରେ ଅଭିନେତ୍ରୀ ନଜର ଆସିବେ ତାହା ସାମ୍ନାକୁ ଆସିନାହିଁ।

ବିଗ୍ ବସ୍ ଯାତ୍ରା ବିଷୟରେ କହିବାକୁ ଗଲେ ଆୟେଶା ସିଜିନର ଅଧାରୁ ସୋ’ରେ ପ୍ରବେଶ କରିଥିଲେ। ମୁନାୱର ତାଙ୍କୁ ଭଲପାଉଥିବା କଥା କହୁଥିଲେ ବି ସୋ’ରେ ପୂର୍ବ ପ୍ରେମିକାଙ୍କ ସହ ଅଛି ବୋଲି ବାରମ୍ବାର କହିବାରୁ ଏକ ପୋଡକାଷ୍ଟ ଭିଡିଓ କରିଥିଲେ ଆୟେଶା। ଭିଡିଓ ଭାଇରାଲ ହେବା ପରେ ସୋ’ର ନିର୍ମାତା ତାଙ୍କୁ ସୋ’କୁ ଆସିବାକୁ ଅଫର ଦେଇଥିଲେ। ଅଫର ପାଇବା ପରେ ସେ ସୋ’କୁ ଆସିଥିଲେ ବି ଆସୁ ଆସୁ ମୁନାୱରଙ୍କ ସହ ବନ୍ଧୁତା କରିଦେଇଥିଲେ, ଯାହା ତାଙ୍କୁ ବିବାଦୀୟ କରିଥିଲା। ଲୋକପ୍ରିୟ ହେବା ପାଇଁ ଆୟେଶା ଏଭଳି କରିଥିବା ଲୋକେ କହିବା ଆରମ୍ଭ କରିଥିଲେ। ତେବେ ବାହାରକୁ ଆସିବା ପରେ ସେହି ବିବାଦ ତାଙ୍କ ପାଇଁ ଫଳପ୍ରଦ ହୋଇଛି।