୫-ଟିକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ

୫-ଟିକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ୫-ଟିକୁ ନେଇ ବିଧାନସଭାରେ ବିଜେପି ଉଠାଇଲା ପ୍ରଶ୍ନ, ଜବାବ ରଖିଲା ବିଜେଡି । ଶୂନ୍ୟକାଳରେ ୫-ଟି କଣ ବିଭାଗ ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।  ଯଦି ଏହା ବିଭାଗ ତେବେ ଏହାର ଅଫିସ  କେଉଁଠି ଅଛି ? ରାଜୀବ ଭବନ, ଲୋକସେବା ଭବନ ନା ଖାରବେଳ ଭବନରେ ରହିଛି । ଯଦି ୫-ଟି ଗୋଟିଏ ବିଭାଗ ତେବେ ଏହାର ଅନ୍ୟ କର୍ମଚାରୀ ମାନେ କିଏ । ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ ପାଇଁ ଏହି ବିଭାଗ କରାଯାଇଛି କି ?  ଯଦି ଏହା ଏକ ବିଭାଗ ତେବେ ବିଧାନସଭାରେ କାହିଁକି ପ୍ରଶ୍ନ ଉତ୍ତର କାର୍ୟ୍ୟକ୍ରମ ହେଉନି । ଯଦି ଏହା ଏକ ବିଭାଗ ତେବେ ସେ ବିଷୟ ରେ ଆମେ ବିଧାନସଭା ରେ ପ୍ରଶ୍ନ କରିବାକୁ ଚାହୁଁଛୁ,  ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ସରକାର  ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ।

 ଜୟନାରାୟଣଙ୍କ ଏହି ପ୍ରଶ୍ନର ଜବାବ ରଖିଛି ଶାସକ ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ  । ୫-ଟି ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇ ପାରେ , ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତା ଧାରା  । ଏହା ମହାମନ୍ତ୍ର ଭଳି କାମ କରୁଛି  । ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ ୫-ଟି କୁ ଦେବାକୁ କହୁଛନ୍ତି । ୫-ଟି କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି  । ବିରୋଧୀ ଦଳ ବି ୫-ଟି ସଚିବ ବୋଲି ସମ୍ବୋଧନ କରୁଛନ୍ତି  । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ ୫-ଟି ବ୍ୟବସ୍ଥା ଏକ ଚିନ୍ତା ଧାରା  ବୋଲି କହିଛନ୍ତି ପ୍ରଶାନ୍ତ ।