୨୦୨୧-୨୨ ଆର୍ଥିକ ବର୍ଷରେ କିଏ ପାଇଛି କେତେ ଚାନ୍ଦା ?
ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷରେ ସବୁଠୁ ଅଧିକ ଚାନ୍ଦା ପାଇଛି କେସିଆରଙ୍କ ଦଳ । ଗତ ଆର୍ଥିକ ବର୍ଷରେ ଭାରତ ରାଷ୍ଟ୍ର ସମିତି ପାଖାପାଖି ୪୧ କୋଟି ଟଙ୍କା ଅନୁଦାନ ପାଇଥିବାବେଳେ, ଆଞ୍ଚଳିକ ଦଳମାନଙ୍କ ଭିତରେ ସବୁଠୁ ଅଧିକ ଅନୁଦାନ ପାଇଛି । ସେହିପରି ଓଡିଶାରେ ଶାସନ କ୍ଷମତାରେ ଥିବା ବିଜେଡି ଗତ ଆର୍ଥିକ ବର୍ଷରେ କୌଣସି ବି ଚାନ୍ଦା ପାଇନଥିବା ଏଡିଆର ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ରିପୋର୍ଟ ମୁତାବକ ପୂର୍ବରୁ ଟିଆରଏସ୍ ଥିବା ଭାରତ ରାଷ୍ଟ୍ର ସମିତି ଦଳ ଗତ ବର୍ଷ ମୋଟ ୪୦.୯ କୋଟି ଟଙ୍କା ଅନୁଦାନ ପାଇଛି ବୋଲି ନିର୍ବାଚନ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ କରିଛି ।
ତେବେ ରାଜନୈତିକ ଦଳମାନଙ୍କୁ ଅନୁଦାନ ଆକାରରେ କେତେ ଟଙ୍କା ମିଳେ, ସେ ନେଇ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି । ଯାହାର ତଥ୍ୟ ଏବେ ଏଡିଆର ପ୍ରକାଶ କରିଛି । ଏଡିଆର ରିପୋର୍ଟରେ ୨୬ଟି ରାଜନୈତିକ ଦଳର ତଥ୍ୟ ପ୍ରକାଶ ପାଇଥିବାବେଳେ, ଏହି ଦଳମାନଙ୍କୁ ମୋଟ ୫୧୦୦ ଲୋକ ୧୯୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।
ତେବେ ସବୁଠୁ ଅଧିକ ଅନୁଦାନ ପାଇଥିବା ୫ଟି ରାଜନୈତିକ ଦଳଙ୍କ ଭିତରେ ଭାରତ ରାଷ୍ଟ୍ର ସମିତି ସହିତ ଆମ୍ ଆଦମୀ ପାର୍ଟି, ଜନତା ଦଳ ୟୁନାଇଟେଡ୍, ସମାଜବାଦୀ ପାର୍ଟି ସହ ୱାଇ ଏସ୍ ଜଗନ ମୋହନ ରେଡ୍ଡିଙ୍କର ୱାଇଏସଆର କଂଗ୍ରେସ ମଧ୍ୟ ସାମିଲ ଅଛି । ବିଆରଏସକୁ ଗତ ଆର୍ଥିକ ବର୍ଷରେ ୪୦.୯୦ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ, ଆମ୍ ଆଦମୀ ପାର୍ଟିକୁ ୩୮.୨୪ କୋଟି ଟଙ୍କା ଅନୁଦାନ ମିଳିଛି । ସେହିପରି ଜେଡିୟୁକୁ ୩୩.୨୫ କୋଟି, ସମାଜବାଦୀ ପାର୍ଟିକୁ ୨୯.୭୯ କୋଟି ଏବଂ ୱାଇଏସଆର କଂଗ୍ରେସକୁ ୨୦ କୋଟି ଟଙ୍କା ଅନୁଦାନ ଆକାରରେ ମିଳିଛି । ତେବେ ଆଞ୍ଚଳିକ ଦଳ ହେଲେ ବି ଦଳକୁ ମିଳିଥିବା ଅନୁଦାନ ଅର୍ଥ ନେଇ କୌଣସି ତଥ୍ୟ ଦେଇନି ବିଜେଡି । ଏଡିଆର ରିପୋର୍ଟ ଅନୁଯାୟୀ ବିଜେଡିକୁ ୨୦୨୧-୨୨ ବର୍ଷରେ କୌଣସି ବି ଚାନ୍ଦା ମିଳିନି ।




admin 