ଦିନ ଓ ରାତି ତାପମାତ୍ରା ବୃଦ୍ଧି
ଦିନ ଓ ରାତି ତାପମାତ୍ରା ବୃଦ୍ଧି
ଭୁବନେଶ୍ୱର: ଶୀତ ହଜିଯାଇଛି । ଉଭୟ ଦିନ ଓ ରାତି ତାପମାତ୍ରା ଅସ୍ୱାଭାବିକ ଭାବେ ବଢ଼ିଛି । ସାରା ରାଜ୍ୟରେ ଅଚାନକ ଅସ୍ୱାଭାବିକ ଭାବେ ଗରମ ଅନୁଭୂତ ହେଲାଣି । ରାତିରେ ଶୀତ ବସ୍ତ୍ରର ଆବଶ୍ୟକତା ବି କମିଯାଇଛି । ଏଭଳି ସ୍ଥିତି ଆହୁରି କିଛି ଦିନ ପର୍ୟ୍ୟନ୍ତ ଜାରି ରହିବ । ଯଦିଓ ୨ ଦିନ ପରେ ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୨-୪ ଡିଗ୍ରୀ କମିବ, ମାତ୍ର ସେଥିରେ ବିଶେଷ ଶୀତ ଫେରିବା ସମ୍ଭାବନା କମ୍ ।
ରାଜ୍ୟରେ ପ୍ରାୟତଃ ଦିନ ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ସେଲସିୟସ୍ ରହିଛି । ଏମିତିରେ ବୁଧବାର ମାଲକାନଗିରି ଦିନ ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିବାବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ ୩୩ ଡିଗ୍ରୀ ଛୁଇଁଛି । ରାତି ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟିଛି । କେବଳ କେନ୍ଦୁଝର ଓ କୋରାପୁଟରେ ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପାରଦ ୧୬.୫ ଡିଗ୍ରୀ ଥିବାବେଳେ ଫୁଲବାଣୀ ତାପମାତ୍ରା ୧୭ ଛୁଇଁଛି । ଫୁଲବାଣୀରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୭.୭ ଡିଗ୍ରୀ ଅଧିକ ରହିଛି । ଟିଟିଲାଗଡ଼ରେ ସ୍ୱାଭାବିକଠାରୁ ୬.୬ ଡିଗ୍ରୀ, ସମ୍ବଲପୁରରେ ୫.୭, ଭବାନୀପାଟଣାରେ ୫.୯, କଟକରେ ୪.୯, ଚାନ୍ଦବାଲିରେ ୪.୯, ପୁରୀରେ ୪.୫, ଭୁବନେଶ୍ୱରରେ ୪.୪ ଡିଗ୍ରୀ ଅଧିକ ରହିଛି ରାତ୍ରିକାଳିନ ତାପମାତ୍ରା ।
ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ବର୍ତ୍ତମାନ ପଶ୍ଚିମା ଝଡ଼ ସକ୍ରିୟ ହେଉନି । ସେଥିପାଇଁ ଉତ୍ତର ଦିଗରୁ ଥଣ୍ଡା ପବନ ଆସୁନାହିଁ । ସେଥିପାଇଁ ଶୀତ କମିଯାଇଛି । ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ସାମାନ୍ୟ କମିବ ।