ଚିକିତ୍ସା ପାଇଁ ସିଙ୍ଗାପୁର ଗଲେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ
ଚିକିତ୍ସା ପାଇଁ ସିଙ୍ଗାପୁର ଗଲେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ
ନୂଆଦିଲ୍ଲୀ: ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଅଛନ୍ତି। ଏଥିପାଇଁ ଚିକିତ୍ସା ଲାଗି ସିଙ୍ଗାପୁର ଯାଇଛନ୍ତି ଲାଲୁ।
ନିକଟରେ ଲାଲୁ ଯାଦବଙ୍କ ଆବେଦନ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ପାସ୍ପୋର୍ଟ ରିଲିଜ କରିବାକୁ ଅନୁମତି ଦେଇଥିଲା। ଏହାପରେ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇଛନ୍ତି।
ଲାଲୁଙ୍କୁ ଡାଇବେଟିସ୍, ବ୍ଲଡ ପ୍ରେସର୍, ହୃଦୟରୋଗ ଓ କିଡନୀ ଜନିତ ସମସ୍ୟା ରହିଛି। ଏଥିସହ ଥାଲାସେମିଆ ରୋଗରେ ମଧ୍ୟ ସେ ପୀଡିତ ଅଛନ୍ତି। କେବଳ ସେତିକି ନୁହେଁ ହାଡ ଓ ମସ୍ତିଷ୍କ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ସେ ପୀଡିତ ଅଛନ୍ତି। ତେବେ ଲାଲୁଙ୍କ କିଡନୀ ସମସ୍ୟା ସବୁଠାରୁ ଗୁରୁତର ରହିଛି । ତାଙ୍କ କିଡନୀ ସ୍ତର ଲାଷ୍ଟ ଷ୍ଟେଜରେ ଅଛି। ୨୦ରୁ ୨୫ ପ୍ରତିଶତ ହିଁ ତାଙ୍କ କିଡନୀ କାମ କରୁଛି। ଏଭଳି ସ୍ଥିତିରେ ତାଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେବ ନା ନାହିଁ ତାହା ସିଙ୍ଗାପୁରରେ ହିଁ ନିଷ୍ପତ୍ତି ନିଆଯିବ।
ଉଲ୍ଲେଖଯୋଗ୍ୟ, ନିକଟରେ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଥରେ ଆର୍ଜେଡି ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ୫ ଜୁଲାଇ ୧୯୯୭ରେ ଆର୍ଜେଡି ଦଳ ଗଠନ ହୋଇଥିଲା। ସେବେଠାରୁ ବର୍ତ୍ତମାନ ଯାଏ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ଲାଲୁ।




admin 