କଟକରେ ଗିରିବାଳା କଂଗ୍ରେସ ମେୟର ପ୍ରାର୍ଥୀ
କଟକରେ ଗିରିବାଳା କଂଗ୍ରେସ ମେୟର ପ୍ରାର୍ଥୀ
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ସବୁ ଦଳ ଅଣ୍ଟା ଭିଡିଥିବାବେଳେ କଟକ ଓ ଭୁବନେଶ୍ୱର ମହାନଗରର ମେୟର ପ୍ରାର୍ଥୀ ଉପରେ ସଭିଙ୍କ ନଜର ଅଟକିଛି । ବିଜେଡି, ବିଜେପି ଓ କଂଗ୍ରେସ ଏବେ ଏ ନେଇ ମାରାଥନ ବୈଠକ ଚଳାଇଛନ୍ତି। କଟକ ମହାନଗର ନିଗମ (ସିଏମସି) ମେୟର ପ୍ରାର୍ଥୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମକୁ ଚୂଡାନ୍ତ କରିଥିବା ଜଣାପଡିଛି। ଖୁବଶୀଘ୍ର ଏ ନେଇ ଦଳ ଘୋଷଣା କରିବ । ଗିରିବାଳା ଏବେ କଟକ ନଗର କଂଗ୍ରେସ ମଙ୍ଗ ଧରିଛନ୍ତି। ଫାୟାର ବ୍ରାଣ୍ଡ ନେତା ଭାବେ କଟକରେ ସେ ପରିଚିତ । ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପାଇଁ ଦଳର ଟାଣୁଆ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ନାଁ ଉପରେ ବିଚାର ଚାଲିଛି। ରଶ୍ମୀଙ୍କୁ ଦଳ ମେୟର ପ୍ରାର୍ଥୀ କରିବାକୁ କଂଗ୍ରେସର ଅଧିକାଂଶ ବଡ଼ ନେତା ମତ ରଖିଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀରୁ ସେ ୨ ଥର ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଗତଥର ସେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଥିଲେ। ରାଜଧାନୀରେ ତାଙ୍କର ସଂଗଠନ ଦକ୍ଷତା ବି ରହିଛି । ଭୁବନେଶ୍ୱର ମେୟର ନେଇ ଦଳ ପକ୍ଷରୁ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇନି। ଆଉ ଜଣେ ଦକ୍ଷ ମହିଳାଙ୍କ ନା ଉପରେ ବି କଂଗ୍ରେସ ବିଚାର କରୁଛି। ସନ୍ଧ୍ୟା ସୁଦ୍ଧା ଏ ନେଇ ସ୍ପଷ୍ଟ ସୂଚନା ମିଳିପାରେ। କଂଗ୍ରେସରୁ କଟକ ପାଇଁ ଗିରିବାଳା ପ୍ରାର୍ଥୀ ହେବା ଫାଇନାଲ ଥିବାବେଳେ ଭୁବନେଶ୍ୱର ପାଇଁ ଅଧିକ ବିଚାର ବିମର୍ଶ ଚାଲିଛି ।




admin 