‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ
‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ
admin
Dec 17, 2019 - 11:15
Updated: Dec 17, 2019 - 11:15
ଭୁବନେଶ୍ୱର - ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ଅଧୀନରେ ମା ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହି ସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍ ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁ ମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତୁ୍ୟ ହାର ଓ ଶିଶୁ ମୃତୁ୍ୟ ହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରରେ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ନିଷ୍ଠାପର ଉଦ୍ୟମ ଦ୍ୱାରା ମମତା କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି । ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ଼ ହେବା ସହିତ ମା ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି । ଏହି ସବୁ ଭଲ କାମରୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶୟ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ଼ ସଫଳତା । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଲୋକଙ୍କ ମତାମତ ଭିତ୍ତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତି କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ ।
ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତାଙ୍କ ଭାଷଣରେ ମୋ ସରକାର କାର୍ଯ୍ୟକ୍ରମରେ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ସାରା ଦେଶରେ ଏକ ଅଭିନବ ପ୍ରୟାସ । ତେଣୁ ଏହାର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ପରାମର୍ଶ ଦେଇଥିଲେ ।
୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କୁ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇବା ସହିତ ଏହାର ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ସେମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଅଙ୍ଗନବାଡ଼ିକୁ ଯୋଗଇ ଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିଦେ୍ର୍ଧଶ ରହିଛି । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସେ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।
ସେହି ପରି ଶିଶୁ ମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନ ମାନଙ୍କର ଇନସ୍ପେକସନ ରିପୋର୍ଟ ଓ ଗ୍ରାଣ୍ଟ ଇନ ଏଡ୍ ପ୍ରଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସର୍ଭିସ୍ ପ୍ରୋଭାଇଡର ମାନଙ୍କ ବିଲ୍ ମଞ୍ଜୁର ଓ ମିଶନ ଶକ୍ତିର ରିଭଲ୍ଭିଙ୍ଗ ଫଣ୍ଡ, ଇନଫ୍ରାଷ୍ଟ୍ରକଚର ଫଣ୍ଡ ଆଦି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନ କରିବା ପାଇଁ ଶ୍ରୀ ପାଣ୍ଡିଆନ ସତର୍କ କରାଇ ଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ ତଦାରଖ କରାଯିବ ବୋଲି ସେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଭାଗୀୟ ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।