ରବିବାର ‘କେଶରୀ’ରେ ନିରଂଜନଙ୍କ ସମର୍ଥକ
ରବିବାର ‘କେଶରୀ’ରେ ନିରଂଜନଙ୍କ ସମର୍ଥକ
admin
Nov 9, 2019 - 16:38
Updated: Nov 9, 2019 - 16:38
ଭୁବନେଶ୍ୱର : କଂଗ୍ରେସରେ ଏବେ ନେତୃତ୍ୱ କନ୍ଦଳ ଜୋର ଧରିଛି । ଗୋଟିଏ ଗୋଷ୍ଠୀ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ପଦରୁ ହଟାଇବାକୁ ଚାହୁଁଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ନିରଞ୍ଜନ ପିସିସି ସଭାପତି ରୁହନ୍ତୁ ବୋଲି ଚାହୁଁଛନ୍ତି । ଏହାକୁ ନେଇ କଂଗ୍ରେସ ଅଳିନ୍ଦ ଏବେ ସରଗରମ ହୋଇଯାଇଛି । ନିରଞ୍ଜନଙ୍କ ବିରୋଧୀ ଗୋଷ୍ଠୀ ତୁହାକୁ ତୁହା ବୈଠକ ଜାରି ରଖିଥିବାବେଳେ ଏହାକୁ କାଉଂଟର କରିବା ପାଇଁ ରଣନୀତି କରିଛନ୍ତି ନିରଞ୍ଜନଙ୍କ ସମର୍ଥକ ।
ନିରଞ୍ଜନଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କେତେକ ବରିଷ୍ଠ ନେତାଙ୍କ ପରାମର୍ଶକ୍ରମେ ବାପି ସର୍ଖେଲ ଓ ମହମ୍ମଦ ମୁକିମଙ୍କ ଭଳି ନେତା ଲାଗି ପଡ଼ିଛନ୍ତି । ଯଦିଓ ଦୁଇ ନେତା ନିରଞ୍ଜନଙ୍କୁ ହଟାଇବା ସେମାନଙ୍କର ଉଦେ୍ଧଶ୍ୟ ନୁହେଁ ବୋଲି କହୁଛନ୍ତି, ତଥାପିବି ଏହାର ନିଘନ ରହସ୍ୟ କ’ଣ ସେନେଇ ସମସ୍ତ କଂଗ୍ରେସ ନେତା ଅବଗତ । ବେଶ କିଛିଦିନ ଧରି ବିରୋଧୀ ଗୋଷ୍ଠୀ ନିଜର ରଣନୀତି କରି ଆସୁଛନ୍ତି । ଖୋଦ ନିରଂଜନ ଓ ତାଙ୍କ ସମର୍ଥକମାନେ ଏନେଇ ପୂର୍ବରୁ ସୁରାକ ପାଇଥିଲେ ବି ନୀରବତା ଅବଲମ୍ବନ କରି ଆସୁଥିଲେ । କିନ୍ତୁ ଏବେ ନିରଞ୍ଜନଙ୍କ ସମର୍ଥକମାନେ କାଉଂଟର ରଣନୀତି ଆରମ୍ଭ କରି ଦେଇଛନ୍ତି । ରବିବାର କେଶରୀ ହୋଟେଲରେ ନିରଞ୍ଜନଙ୍କ ସମର୍ଥକମାନେ ବୈଠକ କରିବାକୁ ଯୋଜନା କରିଛନ୍ତି । ଗତ ବିଧାନସଭା ନିର୍ବାଚନ ଲଢ଼ିଥିବା ଶତାଧିକ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ଓ ବ୍ଲକ କଂଗ୍ରେସ ନେତା, ଛାତ୍ର ଓ ଯୁବନେତାମାନେ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସମ୍ପ୍ରତି ସାରା ଦେଶରେ କଂଗ୍ରେସ ପ୍ରତି ଏକ ପ୍ରତିକୂଳ ବାତାବରଣ ରହିଛି । ଏଭଳି କ୍ଷେତ୍ରରେ ରାଜ୍ୟମାନଙ୍କରେ ଦକ୍ଷ ନେତୃତ୍ୱର ଆବଶ୍ୟକତା ରହିଛି । ଅନେକ ରାଜ୍ୟରେ ଦକ୍ଷ ନେତୃତ୍ୱ ପାଇଁ ଧିରେଧିରେ ସ୍ଥିତି ସୁଧୁରିଲାଣି । ବିଗତ ଦିନରେ ମହାରାଷ୍ଟ୍ର, ହରିୟାଣାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବାବେଳେ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ସରକାର ବି ଗଢ଼ିଛି । ବାରବାର ନେତୃତ୍ୱ ପରିବର୍ତନ ଯୋଗୁଁ ରାଜ୍ୟରେ ଦଳର ସ୍ଥିତି ଦୋହଲିଯାଇଛି । ନିରଞ୍ଜନଙ୍କୁ ପ୍ରଥମ ଥର ସୁଯୋଗ ଦେବା ପରେ ଯଦି ତାଙ୍କୁ ପଦରେ କାଏମ ରଖାଯାଇଥା’ନ୍ତା ତାହେଲେ ରାଜ୍ୟ କଂଗ୍ରେସ ବି ସୁଧୁରି ସାରନ୍ତାଣି । କିନ୍ତୁ କଂଗ୍ରେସ ହାଇକମାଣ୍ଡ କେତେକ କୁଚକ୍ରୀଙ୍କ ପାଇଁ ନେତୃତ୍ୱ ବଦଳାଇବାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କୁ ଦଳ ଦାୟିତ୍ୱ ମିଳିଥିଲେ ମଧ୍ୟ ସେତେବେଳକୁ ବିଜେଡ଼ି ଓ ବିଜେପି ସେମାନଙ୍କର କାୟା ବିସ୍ତାର କରିସାରିଥିଲେ । ଯେଉଁଥିପାଇଁ ନିରଞ୍ଜନ୍ କମ ସମୟ ମଧ୍ୟରେ ଆଉ ଦଳକୁ ସୁଦୃଢ଼ କରିବାର ସୁଯୋଗ ପାଇନଥିଲେ । ସମ୍ପ୍ରତି ରାଜ୍ୟରେ ବିଜେଡ଼ି ଓ ବିଜେପି ମଧ୍ୟରେ ଅଘୋଷିତ ମେଂଟ ହୋଇସାରିଛି । ଏଭଳି ସ୍ଥିତିରେ କଂଗ୍ରେସ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି ହୋଇଛି । ତେଣୁ ନିରଞ୍ଜନଙ୍କୁ ଆଗାମୀ ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ଦେବାକୁ ସେମାନେ ହାଇକମାଣ୍ଡଙ୍କ ନିକଟରେ ଦାବି କରିବେ ବୋଲି ନିରଞ୍ଜନଙ୍କ ଜଣେ ସମର୍ଥକ ମତବ୍ୟକ୍ତ କରିଛନ୍ତି । ଏଭଳି ସ୍ଥିତିରେ ଯଦି ହାଇକମାଣ୍ଡ ଦୁର୍ବଳ ନେତୃତ୍ୱଙ୍କ ହାତରେ ଦଳର ଦାୟିତ୍ୱ ଦିଅନ୍ତି ତେବେ ତାହା ବୁମେରାଂ ହେବବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ମତପୋଷଣ କରିଛନ୍ତି ।