ୱିକିପିଡିଆରେ ଆପତ୍ତିଜନକ ଲେଖା ନେଇ ମୁଁ ମର୍ମାହତ : ପ୍ରଦୀପ୍ତ ନାଏକ
ୱିକିପିଡିଆରେ ଆପତ୍ତିଜନକ ଲେଖା ନେଇ ମୁଁ ମର୍ମାହତ : ପ୍ରଦୀପ୍ତ ନାଏକ
admin
Jan 15, 2021 - 09:59
Updated: Jan 15, 2021 - 09:59
ଭୁବନେଶ୍ୱର: ୱିକିପିଡିଆରେ ଆପତ୍ତିଜନକ ଲେଖା ନେଇ ମୁଁ ମର୍ମାହତ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି । ମୋ ବାବଦରେ ଯାହା ଲେଖାଯାଇଛି, ତାହା ଅତ୍ୟନ୍ତ ଦୁଃଖ ଦେଇଛି । ବ୍ୟକ୍ତିଗତ ଜୀବନରେ ମୁଁ କାହାର ଅମଙ୍ଗଳ ଚାହିଁନି । କେବେ ଭାବେ ବି ନାହିଁ । ରାଜନୀତିରେ ଥିବାରୁ ରାଜନୈତିକ ଓ ସାମାଜିକ କତ୍ତବ୍ୟ କରିଛି । ମୋ ବିରୋଧରେ କାହିଁକି ନୀଚ ଷଡ଼ଯନ୍ତ୍ର କରାଯାଉଛି ମୁଁ ବୁଝି ପାରୁନାହିଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।
ଏହାଛଡ଼ା ଶ୍ରୀ ନାୟକ କହିଛନ୍ତି ଯେ, ଏବେ ରାଜ୍ୟର ବିରୋଧୀ ଦଳର ନେତା ଦାୟୀତ୍ୱରେ ଥିବା କାରଣରୁ ଲୋକଙ୍କ ପ୍ରଶ୍ନ, ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଲୋକଙ୍କର ଅଧିକାର ବିଷୟରେ ସରକାରଙ୍କୁ ପ୍ରଶ୍ନ ପଚାରିବା ମୋର ପରମ କର୍ତ୍ତବ୍ୟ । ଯାଜପୁରର ପିଇଓ ସ୍ମୀତାରାଣି ବିଶ୍ୱାଳର ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସରକାରୀ କଳ ଚେଷ୍ଟା କରୁଥିଲା । ଏହାକୁ ବିରୋଧ କରି ସେ ପ୍ରସଙ୍ଗରେ ଆମେ ସରକାରଙ୍କୁ ବିଧାନସଭାରେ ଘେରିଲୁ । ଏହା କଣ ଆମର ଭୁଲ ଥିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
ସେହିପରି ନୟାଗଡର ଯଦୁପୁରର ୫ ବର୍ଷର କୁନି ଝିଅ ପରୀର ହତ୍ୟା ଘଟଣାରେ ଆମ ଦଳ ରାଜରାସ୍ତାରେ ଲଢାଇ କରିଲା । ପରୀର ହତ୍ୟା ଅଙ୍ଗତସ୍କରି ପାଇଁ ହୋଇଥିଲା, ଏ ଅଭିଯୋଗ ଆଣି ଆମେ ବିଧାୟକମାନେ ବିଧାନସଭା ଅଚଳ କରିଲୁ । ଆମେ ସେହି ଘଟଣାରେ ଏକ ନିର୍ଣ୍ଣାୟକ ଲଢାଇ ଲଢିବୁ ଯେବେ ଯାଏଁ ପରୀକୁ ନ୍ୟାୟ ମିଳିନି । ଏଥିରେ ଯଦି କିଏ ଅସହ୍ୟ ହେବ ତାହେଲେ ମୁଁ କଣ କରିପାରିବି ?
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୁର୍ନୀତି ଅଭିଯୋଗ ଉଠାଇବାରୁ ମାହାଙ୍ଗାରେ ଆମ ଦଳର ଦୁଇ ବରିଷ୍ଠ ନେତାଙ୍କର ହତ୍ୟା ହେଲା । ଘଟଣାରେ ମନ୍ତ୍ରୀଙ୍କର ସମ୍ପୃକ୍ତି ଥିବା କଥା ଆମେ ଅଭିଯୋଗ ଆଣିଲୁ । ଦଳର ଜଣେ ସାମାନ୍ୟ କର୍ମୀ ହିସାବରେ ମୁଁ ମୋର କର୍ତବ୍ୟ କରିଲି । ଏଥିରେ ଯଦି ପ୍ରତିପକ୍ଷ ରାଜନୈତିକ ଦଳମାନେ ଅସହିଷ୍ଣୁ ହେବେ, ସେଥିରେ ମୁଁ ନିରୁପାୟ ।
ଗତକାଲି ଆମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ । କଳାହାଣ୍ଡିର କିଛି ମୌଳିକ ସମସ୍ୟା ଯେପରିକି ଇନ୍ଦ୍ରାବତି ରାଇଟ କେନାଲ ଓ ରେତ ମେଗା ଲିଫ୍ଟ ଇରିଗେସନରେ ପାଣି ଆସୁନଥିବା, କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ବିଳମ୍ବ, କେସିଙ୍ଗା ସ୍ପିନିଙ୍ଗ ମିଲ ଚାଲୁ କରିବା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲି । କଳାହାଣ୍ଡିମାଟିର ପୁଅ ହିସାବରେ ମୋର କଣ ଏହା ଅଧିକାର ନୁହେଁ କି ?
ଏ ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବା ବୋଧହୁଏ କିଛି ରାଜନୈତିକ ପ୍ରତିପକ୍ଷଙ୍କ ଆଖିରେ ଯାଉନି । ମୁହାଁମୁହିଁ ବିତର୍କରେ ବିଶ୍ୱାସ କରୁନଥିବା ଲୋକମାନେ ହିଁ କେବଳ ଇଣ୍ଟରନେଟ ଟେରୋରିଜିମର ଏପରି ହୀନ କାମ କରନ୍ତି । ମୋର ଯାହା ସନେ୍ଦହ ପ୍ରତିପକ୍ଷ ରାଜନୈତିକ ଦଳର ଆଇଟି ସେଲ ଏପରି କାମ କରିଥିବେ ।
ରାଜନୈତିକ ବିମର୍ଷ, ବାଦବିବାଦର ଏକ ସ୍ତର ରହିଛି । କିଏ କାହାକୁ ରାଜନୈତିକ ସ୍ତରରେ ବିରୋଧ କରିବ ବୋଲି ତାହା ବିରୋଧରେ ଯେ ଏପରି କରାଯାଇପାରେ ତାହା ମୁଁ କେବେ ଭାବିନଥିଲି । ୨୦ ବର୍ଷର ନିରଙ୍କୁଶ ସରକାର ରହିଥିବା କାରଣରୁ ବୋଧହୁଏ କିଛି ଲୋକମାନେ ଅସହିଷ୍ଣୁ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଭାବରେ ଅନୁରୋଧ କରୁଛି ଏହି ଘଟଣାର ତଦନ୍ତ କରି ଯିଏ ବି ଏପରି କରିଛି ତାହାର ସତ୍ୟାସତ୍ୟ ଉନ୍ମୋଚିତ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି ।