୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ : ପ୍ରଶ୍ନକାଳ ରହିବନି, ରବିବାର ଗୃହ ଚାଲିବ

୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ : ପ୍ରଶ୍ନକାଳ ରହିବନି, ରବିବାର ଗୃହ ଚାଲିବ

୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ : ପ୍ରଶ୍ନକାଳ ରହିବନି, ରବିବାର ଗୃହ ଚାଲିବ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ମାସ ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ଅନେକ ନୂଆ କଥା ଦେଖିବାକୁ ମିଳିବ । ପ୍ରଶ୍ନକାଳ ରହିବ ନାହିଁ । ପ୍ରଥମ ଥର ପାଇଁ ସଂସଦ ରବିବାର ଚାଲିବ । ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ସଂସଦ ଚାଲିବ । ତେଣୁ ସାଂସଦମାନେ ପୂର୍ବ ଭଳି ସପ୍ତାହ ଶେଷରେ ଦୁଇ ଦିନ ଛୁଟି ପାଇପାରିବେ ନାହିଁ । ପୂର୍ବରୁ ଶନିବାର ବେଳେ ବେଳେ ସ୍ୱତନ୍ତ୍ର ଅଧିବେଶନ ଡକାଯିବାର ନଜିର ରହିଛି । କିନ୍ତୁ ରବିବାର ପ୍ରଥମ ଥର ପାଇଁ ସଂସଦ ଅଧିବେଶନ ବସିବାକୁ ଯାଉଛି । କରୋନ ସମୟରେ ହେଉଥିବା ଏହି ଅଧିବେଶନରେ ଆହୁରି ଅନେକ ନୂଆ ଘଟଣା ଦେଖିବାକୁ ମିଳିବ । ସଂସଦରେ ପ୍ରବେଶ କରିବାର ୭୨ ଘଣ୍ଟା ପୂର୍ବରୁ ସାଂସଦମାନଙ୍କୁ ନିଜର କରୋନା ଟେଷ୍ଟ କରାଇବାକୁ ପଡ଼ିବ । ସେମାନେ ଚାହିଁଲେ ନିଜ ଘରେ ବି ଏହି ପରୀକ୍ଷା କରାଇପାରିବେ । ସେହିପରି ସାଂସଦମାନେ ପୂର୍ବ ଭଳି ଲୋକସଭା ଓ ରାଜ୍ୟସଭା ଭିତରକୁ ଯିବେ ନାହିଁ । ବରଂ ସଂସଦର ଦୁଇ ଗୃହର ଅଧିବେଶନ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ହେବ । ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଏପରି ପଦକ୍ଷେପ ନିଆଯାଇଛି । ଅଧିବେଶନ ପ୍ରଥମ ଦିନ ଲୋକସଭା ସକାଳ ୯ ଟାରୁ ଅପରାହ୍ନ ୧ ଟାଯାଏଁ ଚାଲିବ । ତା’ପରେ ଦୁଇ ଘଣ୍ଟାର ବ୍ୟବଧାନ ରହିବ ଏବଂ ଏହା ପରେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବ । ହେଲେ ଅଧିବେଶନ ବାକି ଦିନଗୁଡ଼ିକରେ ସକାଳେ ରାଜ୍ୟସଭା ଚାଲିବ ଏବଂ ଅପରାହ୍ନରେ ଲୋକସଭା ଚାଲିବ । ଉଭୟ ଗୃହର କାର୍ଯ୍ୟକ୍ରମ ତାଲିକାରୁ ପ୍ରଶ୍ନକାଳକୁ ବାଦ ଦିଆଯାଇଛି । ଏହା ଯୋଗୁଁ ସାଂସଦମାନଙ୍କୁ ପ୍ରଶ୍ନ କରିବା ପାଇଁ ପୂର୍ବରୁ ଯେଉଁ ଘଣ୍ଟାକ ସମୟ ମିଳୁଥିଲା, ଏବେ ଆଉ ମିଳିବ ନାହିଁ । ସେହିପରି ଯେଉଁମାନେ ସଂସଦରେ ବିତର୍କରେ ଭାବ ନେବାକୁ ଚାହିଁବେ, ସେମାନଙ୍କୁ ନିଜ ଆସନରେ ବସି କରି କହିବା ପାଇଁ ଅନୁମତି ଦିଆଯିବ । ଏହି ଅଧିବେଶନରେ ୯ଟି ଅଧ୍ୟାଦେଶକୁ ଗୃହୀତ କରାଇବା ପାଇଁ ସରକାର ଚେଷ୍ଟା କରିବେ ।