୧୨ ଲକ୍ଷ ଟଙ୍କା ଠକିଥିବା ମହିଳା ୮ ବର୍ଷ ପରେ ଗିରଫ
୧୨ ଲକ୍ଷ ଟଙ୍କା ଠକିଥିବା ମହିଳା ୮ ବର୍ଷ ପରେ ଗିରଫ
admin
Nov 3, 2020 - 11:11
Updated: Nov 3, 2020 - 11:11
ଭୁବନେଶ୍ୱର: ଜଣେ ମହିଳା ଜମାକାରୀଠାରୁ ୧୨.୭୫ ଲକ୍ଷ ଟଙ୍କା ଠକି ୮ ବର୍ଷ କାଳ ଫେରାର ହୋଇଯାଇଥିବା ବେଳେ ମହିଳା ଠକକୁ କମିସନରେଟ ପୁଲିସ ଗିରଫ କରିଛି । ଅଭିଯୁକ୍ତ ମହିଳା ଜଣକ ହେଲେ ବଡ଼ଗଡ଼ ଥାନା ରାଜରାଣୀ ମନ୍ଦିର ନିକଟ ରାଣୀ ଆପାର୍ଟମେଣ୍ଟର ରହୁଥିବା କଲ୍ୟାଣୀ ପ୍ରଧାନ ୪ ବର୍ଷରେ ମୂଳ ଜମା ଟଙ୍କାକୁ ୨ ଗୁଣ କରିଦେବା ବାହାନା କରି ସେ ଜଣେ ମହିଳାଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥିଲେ । ସହିଦ ନଗର ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଲ୍ୟାଣୀ ନିଜ ଘରେ ଏକ ସଂସ୍ଥା ଖୋଲିଥିଲେ । ଏଥିରେ ଜମାକାରୀଙ୍କ ପାଇଁ ବିଭିନ୍ନ ପ୍ରକାର ସ୍କିମ ରହିଥିଲା । ଯେତେ ଅଧିକ ଟଙ୍କା ଜମା ରଖିବ, ସେହି ଅନୁସାରେ ସୁଧହାର ବଢ଼ୁଥିଲା । ସେହି ଅନୁପାତିରେ ମୂଳ ଜମା ଟଙ୍କା ଦୁଇ ଗୁଣ ଓ ଚାରି ଗୁଣ ହେଉଥିଲା । ସେହିଭଳି ଜମା ରଖିବାର ଅବଧିକୁ ନେଇ ମଧ୍ୟ ସୁଧ ହାର ବଢ଼ୁଥିଲା । ଜମାକାରୀ ଯେତେ ଅଧିକ ସମୟ ଜମା ରଖିବେ, ସୁଧ ପରିମାଣ ସେତେ ବଢ଼ୁଥିଲା । ଏଭଳି ଲୋକନୀୟ ସ୍କିମ ଜାଲରେ ପଡ଼ି ଯାଇଥିଲେ ମାହାଙ୍ଗା ନିଶ୍ଚିନ୍ତକୋଇଲିର ସତ୍ୟାନନ୍ଦ ଶତପଥୀ । ୨୦୧୨ ମସିହାରେ ଶ୍ରୀ ଶତପଥୀ କଲ୍ୟାଣୀଙ୍କ ସଂସ୍ଥାରେ ୧୨ ଲକ୍ଷ ୭୫ ହଜାର ଟଙ୍କା ଜମା ରଖିଥିଲେ । ବଡ଼ ଆଶା ଓ ଭରସା କରି ଶ୍ରୀ ଶତପଥୀ ତାଙ୍କର ସଞ୍ଚିତ ସମସ୍ତ ଅର୍ଥକୁ କଲ୍ୟାଣୀଙ୍କ ଠକ ସଂସ୍ଥାରେ ଜମା କରିଦେଲେ । କିନ୍ତୁ ପରେ ତାଙ୍କୁ ମାସକୁ ମାସ ସୁଧ ମିଳିଲା ନାହିଁ । ଏ ନେଇ ସେ କଲ୍ୟାଣୀଙ୍କ ସହ ଯୋଗାଯୋଗ କରିବା ପରେ ତାଙ୍କ ଅସଲ ଚେହେରା ପଦାକୁ ଆସିଲା । ବାରମ୍ବାର ଶ୍ରୀ ଶତପଥୀ ତାଙ୍କ ପାଖକୁ ଯିବାରୁ ସେ ଫେରାର ହୋଇଯାଇଥିଲେ । ତେଣୁ ସେ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ସେହିଦିନଠାରୁ କଲ୍ୟାଣୀ ଫେରାର ହୋଇ ଯାଇଥିଲେ । ତେବେ ପୁଲିସ ନଜର ତାଙ୍କ ଉପରେ ଥିଲା । ଏଇ କିଛି ଦିନ ହେଲା ସେ ଘରକୁ ଫେରିଥିବା ଖବର ପାଇ ପୁଲିସ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା ।