ସ୍ତନ କର୍କଟର ଲକ୍ଷଣ କ’ଣ

ସ୍ତନ କର୍କଟର ଲକ୍ଷଣ କ’ଣ

ସ୍ତନ କର୍କଟର ଲକ୍ଷଣ କ’ଣ

ଭୁବନେଶ୍ୱର: ସ୍ତନ ମଧ୍ୟରେ ଅସଂଖ୍ୟ ଗ୍ରନ୍ଥି ଓ ଦୁଗ୍ଧନଳୀର ସମାହାର ରହିଥାଏ। ଏଥିରେ କୌଣସି କୋଷିକାର ଅନିୟନ୍ତ୍ରିତ ବିଭାଜନ ଓ ଅଭିବୃଦ୍ଧି ଯୋଗୁଁ ଅର୍ବୁଦ ସୃଷ୍ଟି ହୋଇଥାଏ ଯାହାକୁ ସ୍ତନ କର୍କଟ କୁହାଯାଏ।

ଲକ୍ଷଣ
- ସ୍ତନରେ ଗେଟା/ଫୁଲା ଅନୁଭବ ହେବା
- ସ୍ତନର ଆକାର ଓ ଗଠନରେ ପରିବର୍ତ୍ତନ ଦେଖାଦେବା
- ସ୍ତନ ଉପର ଚର୍ମରେ ପରିବର୍ତ୍ତନ
- ସ୍ତନମୁହଁ/ ନିପଲ୍ ଟାଣିହୋଇ ରହିବା/ ଓଲଟି ରହିବା
- ସ୍ତନ ଉପର ଚର୍ମ ଲାଲ ହେବା/ କମଳା ଚୋପା ପରି ଦେଖାଦେବା

ରୋଗର କାରଣ
ମହିଳାମାନଙ୍କଠାରେ ଏହା ମୁଖ୍ୟତ ଦେଖାଯାଏ, ଯଦିଓ ପୁରୁଷଙ୍କଠାରେ ମଧ୍ୟ ସ୍ତନ କର୍କଟ ଦେଖାଦେବା ବିରଳ ନୁହେଁ। ବୟସରେ ବୃଦ୍ଧି। ପରିବାରରେ କାହାକୁ ଯଦି ପୂର୍ବରୁ ସ୍ତନ କର୍କଟ ହୋଇଥାଏ, ତା ହେଲେ ଅନ୍ୟ ମହିଳାଙ୍କୁ ହେବାର ସମ୍ଭାବନା ଅଧିକ ଥାଏ। ଯଦି ପୂର୍ବରୁ ପ୍ରାକ୍-କର୍କଟର ଲକ୍ଷଣ ବା ଅର୍ବୁଦ ଦେଖାଦିଏ ।

ବଂଶାନୁକ୍ରମିକ ଜିନ୍‌ର ପ୍ରଭାବ – BRCA-1 ଓ BRCA-2 ଜିନ୍‌ରେ ପରିବର୍ତ୍ତନ ମଧ୍ୟ ସ୍ତନ କର୍କଟର ସମ୍ଭାବନା ହୋଇଥାଏ ।

ପୂର୍ବରୁ ରଞ୍ଜନ ରଶ୍ମୀର ପ୍ରଭାବ- ଯଦି ଶୈଶବ କିମ୍ବା କିଶୋର ଅବସ୍ଥାରେ ଅନ୍ୟ କୌଣସି କାରଣ ପାଇଁ ରଞ୍ଜନ ରଶ୍ମୀ ଚିକିତ୍ସା ପାଇଥାନ୍ତି, ତାହା ଭବିଷ୍ୟତରେ ସ୍ତନ କର୍କଟ ସମ୍ଭାବନା ବଢାଇପାରେ ।

ମେଦବହୁଳତା ।
ଶୀଘ୍ର/ ଅଳ୍ପ ବୟସରେ ଋତୁସ୍ରାବ ଆରମ୍ଭ ହେବା ।
ବିଳମ୍ବ/ ଅଧିକ ବୟସରେ ଋତୁସ୍ରାବ ବନ୍ଦ ହେବା ।
ଗର୍ଭଧାରଣରେ ବିଳମ୍ବ ।
ଗର୍ଭନିରୋଧକ ବଟିକା/ ଔଷଧର ବ୍ୟବହାର
ମଦ୍ୟପାନ

ସ୍ତନ କର୍କଟର ପ୍ରାକ ନିରୂପଣ/ ସ୍କ୍ରିନିଙ୍ଗ
ଏହା ପ୍ରାଥମିକ ସ୍ତରରେ ସ୍ତନ କର୍କଟକ ନିରୂପଣ କରିବାରେ ଓ ରୋଗକୁ ଭଲ ଭାବରେ ଚିକିତ୍ସା କରିବାରେ ସହାୟକ ହୋଇଥାଏ । ଏହା ମୁଖ୍ୟତ ମହିଳାଙ୍କ ଦ୍ୱାରା ସ୍ୱ-ସ୍ତନ ପରୀକ୍ଷା, ଚିକିତ୍ସକଙ୍କ ଦ୍ୱାରା ସ୍ତନ ପରୀକ୍ଷା, ମାମୋଗ୍ରାଫି ଓ ସନ୍ଦେହ ଉପୁଜିଲେ ଛୁଞ୍ଚି ପରୀକ୍ଷା ଦ୍ୱାରା କରାଯାଏ । ମାମୋଗ୍ରାଫି ମୁଖ୍ୟତ ୫୦ ବର୍ଷରୁ ଉର୍ଦ୍ଧ ମହିଳାଙ୍କଠାରେ ବର୍ଷକୁ କିମ୍ବା ଦୁଇ ବର୍ଷକୁ ଥରେ ବ୍ୟବଧାନରେ କରିବା ଉଚିତ । ରୋଗ ଦେଖାଦେବାର ଅଧିକ ସମ୍ଭାବନା ଥିବା ମହିଳାଙ୍କଠାରେ ଯଥା ପରିବାରରେ କାହାର ସ୍ତନ କର୍କଟ ଥିଲେ କିମ୍ବା ଅନ୍ୟ ଅର୍ବୁଦ ବା ପ୍ରାକ୍ କର୍କଟ ଲକ୍ଷଣ ଥିଲେ ଏହାକୁ କମ ବୟସରେ ମଧ୍ୟ କରାଯାଇଥାଏ ।

ରୋଗର ନିରୂପଣ
- ରୋଗର କୌଣସି ଲକ୍ଷଣ ଦେଖାଦେଲେ ବା ସନ୍ଦେହ ହେଲେ ଜଣେ କର୍କଟ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ବିଧେୟ ।
- ମାମୋଗ୍ରାଫି ଦ୍ୱାରା ରୋଗର ଅବସ୍ଥିତି ଓ ପ୍ରକାର ଜଣାପଡେ ।
- ବାୟୋପ୍ସି ବା ଟିସୁ ପରୀକ୍ଷା ଦ୍ୱାରା ରୋଗକୁ ସଠିକ ଭାବେ ନିରୂପଣ କରାଯାଏ ।
- ଛାତି ଓ ପେଟର ସ୍କାନ୍ ଦ୍ୱାରା ରୋଗର ବ୍ୟାପ୍ତି ଜଣାପଡିଥାଏ ।
- ଯାହା ଦ୍ୱାରା ଷ୍ଟେଜିଂ କରାଯାଏ ଓ ଚିକିସ୍ତା ନିର୍ଣ୍ଣୟ ନେବାରେ ସୁବିଧା ହୋଇଥାଏ ।

ଷ୍ଟେଜିଂ/ ରୋଗର ସ୍ତର
ଅନ୍ୟ ଅଙ୍ଗର କର୍କଟ ପରି ସ୍ତନ କର୍କଟରେ ମଧ୍ୟ ଚାରୋଟି ଷ୍ଟେଜ୍‌ ବା ସ୍ତର ଥାଏ । ପ୍ରଥମ ଓ ଦ୍ୱିତୀୟ ଷ୍ଟେଜ୍‌କୁ ପ୍ରାରମ୍ଭିକ ସ୍ତର ଭାବେ ବିବେଚନା କରାଯାଉଥିବାବେଳେ ତୃତୀୟ ଷ୍ଟେଜକୁ ଆଞ୍ଚଳିକ ଅଗ୍ରସର ସ୍ତର ବା ଷ୍ଟେଜ କୁହାଯାଏ । ଚତୁର୍ଥ ଷ୍ଟେଜ କହିଲେ ମୁଖ୍ୟତ ରୋଗ ଅନ୍ୟ ଅଙ୍ଗକୁ ବିସ୍ତାର କରିବାର ସଙ୍କେତ ଦେଇଥାଏ ।ଷ୍ଟେଜିଂ ଦ୍ୱାରା ରୋଗର ସ୍ଥିତି ସମ୍ବନ୍ଧରେ ଜଣାପଡିବା ସହିତ ଚିକିତ୍ସା ପଦ୍ଧତ୍ତି ନିର୍ଣ୍ଣୟ କରିବାରେ ସୁବିଧା ହୋଇଥାଏ ।

ଚିକିତ୍ସା
ସ୍ତନ କର୍କଟର ଚିକିତ୍ସା ମୁଖ୍ୟତ ଶଲ୍ୟଚିକିତ୍ସା (ସର୍ଜରୀ), କେମୋ ଥେରାପି, ରେଡିଓ ଥେରାପି (ରଞ୍ଜନ ରଶ୍ମୀ ଚିକିତ୍ସା), ହର୍‌ମୋନ୍‌ ଓ ଟାର୍ଗେଟେଡ୍‌ ଥେରାପି ଚିକିତ୍ସା ଉପରେ ପର୍କ୍ଷ୍ୟବେକ୍ଷିତ ଥାଏ।ଚିକିତ୍ସା ପଦ୍ଧତ୍ତିର କ୍ରମ ମୁଖ୍ୟତ ରୋଗର ଷ୍ଟେଜ୍ ଓ କେତେକ ନିର୍ଦ୍ଧିଷ୍ଟ ରିସେପ୍ଟରର ପରିପ୍ରକାଶ ଉପରେ ନିର୍ଭର କରିଥା।

ରୋଗ ନିରୂପଣ ଓ ଚିକିତ୍ସା ସାଧନରେ ଅଗ୍ରଗତି
ସାମ୍ପ୍ରତିକ ସମୟରେ ବିବିଧ ଚିକିତ୍ସା ପ୍ରଣାଳୀରେ ଅଗ୍ରଗତି ଦେଖାଦେଉଛି। ସ୍ତନରକ୍ଷକ ସର୍ଜରୀ (ବ୍ରେଷ୍ଟ କନ୍‌ଜର୍ଭେସନ୍ ) , ମୁଖ୍ୟତ ପ୍ରାରମ୍ଭିକ କର୍କଟ ସ୍ତରରେ ଏହାକୁ ବହୁଜନ ଆଦୃତ ଶଲ୍ୟଚିକିତ୍ସା ପଦ୍ଧତ୍ତି ରୂପେ ପରିଗଣିତ ହେଇଛି।

ସେହିପରି ରଞ୍ଜନରଶ୍ମୀ ଚିକିତ୍ସା (ରେଡିଓଥେରାପି) ରେ ମଧ୍ୟ ଅହେତୁକ ବିକାଶ ଘଟିଛି ଯାହାଦ୍ୱାରା ଇପ୍‌ସିତ୍‌ ଅଞ୍ଚଳରେ ସୂକ୍ଷ୍ମ ଭାବେ ବିକିରଣ ଚିକିତ୍ସା ଦେଇ ପାରିପାର୍ଶ୍ୱିକ ସାଧାରଣ ଅଙ୍ଗକୁ ବିକିରଣରୁ ରକ୍ଷା କରାଯାଇପାରୁଛି। ଏହାଦ୍ୱାରା ପାର୍ଶ୍ୱପ୍ରତିକ୍ରିୟାରେ ମଧ୍ୟ ପତନ ଦେଖାଦେଇଛି। ସେହିପରି କେମୋଥେରାପିରେ ମଧ୍ୟ ଅନେକ ପରିବର୍ତ୍ତନ କରାଯାଇ ପାର୍ଶ୍ୱପ୍ରତିକ୍ରିୟାକୁ କମାଯାଇପାରୁଛି।