ସୁଟିଂ ସେଟ୍ରୁ ଫେରୁଥିଲେ ଅଭିନେତ୍ରୀ, ବାଟରେ ଆକ୍ରମଣ କଲେ ଦୁର୍ବୃତ୍ତ
ସୁଟିଂ ସେଟ୍ରୁ ଫେରୁଥିଲେ ଅଭିନେତ୍ରୀ, ବାଟରେ ଆକ୍ରମଣ କଲେ ଦୁର୍ବୃତ୍ତ
ଭୁବନେଶ୍ୱର: ସୁଟିଂ ସେଟରୁ ଘରକୁ ଫେରୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ମହିଳା ଓଡ଼ିଆ କଳାକାର ଆକ୍ରମଣର ଶିକାର ହୋଇଛନ୍ତି । ସେ ହେଲେ ଶ୍ରେଲା ତି୍ରପାଠୀ । ନିଶାଗ୍ରସ୍ତ କିଛି ଦୁର୍ବୃତ୍ତ ତାଙ୍କ କାରକୁ ଅଟକାଇ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିବାକୁ ଉଦ୍ୟମ କରିଥିଳେ । ଏ ନେଇ ଶ୍ରେଲା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ରାତି ପ୍ରାୟ ୧ଟାରେ ଏକ ଧାରାବାହିକର ସୁଟିଂ ସାରି ଶ୍ରେଲା ଘରକୁ ଫେରୁଥିଲେ । ମଧୁସୂଦନ ନଗରରୁ ଗଛମୁଣ୍ଡା ରାସ୍ତା ମଧ୍ୟରେ ଥିବା ଏସବିଆଇ ଏଟିଏମ ପାଖରେ ୪ ରୁ ୫ ଜଣ ଯୁବକ ହଠାତ ତାଙ୍କ ଗାଡି ଆଗକୁ ମାଡି ଆସିଥିଲେ । ଚାଳକ କିଛି ବୁଝିବା ଆଗରୁ ଗାଡ଼ିର ବମ୍ପରକୁ ଭାଙ୍ଗିବା ସହିତ ଗାଡି ଆଗରେ ଠିଆ ହୋଇ ଗାଳି ଗୁଲଜ କରିଥିଲେ । ପରେ ଦୁଇ ଜଣ ଦୁର୍ବୃତ୍ତ ଗାଡି ଡୋର ଖୋଲି ଶ୍ରେଲା ଓ ତାଙ୍କ ଡ୍ରାଇଭରକୁ ପିଟିବାକୁ ଆସିବା ବେଳେ ସେ ଗାଳି ଚାଳକ ବୁଦ୍ଧି ଖଟାଇ ଗାଡି ନେଇ ଘଟଣାସ୍ଥଳରୁ ପଳାଇ ଆସିଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ପଥର ମାଡ କରିବାରୁ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଥିଲା । ଏ ନେଇ ଶ୍ରେଲା ସାଥୀ ଅଭିନେତ୍ରୀ ବିଦୁସ୍ମିତାଙ୍କ ସହଯୋଗରେ ଖଣ୍ଡଗିରି ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଯାଏ କେହି ଗିରଫ ହୋଇନାହାନ୍ତି ।