ସୀମାରରେ ଶରଣାର୍ଥୀ, ଅଟକାଉଛି ପୋଲାଣ୍ଡ ସେନା
ସୀମାରରେ ଶରଣାର୍ଥୀ, ଅଟକାଉଛି ପୋଲାଣ୍ଡ ସେନା
ନୂଆଦିଲ୍ଲୀ: ବେଲାରୁଷ-ପୋଲାଣ୍ଡ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଉଭୟ ଦେଶର ସୀମାରେ ଏବେ ବହୁ ଶରଣାର୍ଥୀ ରୁଣ୍ଡ ହୋଇଛନ୍ତି। ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରୁ ବହୁ ସଂଖ୍ୟାରେ ପ୍ରବାସୀ ଓ ଶରଣାର୍ଥୀ ବେଲାରୁଷରୁ ଆସି ସେଠାରୁ ପୋଲାଣ୍ଡ ଦେଇ ୟୁରୋପୀୟ ସଂଘକୁ ପ୍ରବେଶ କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ପୋଲାଣ୍ଡରେ ପ୍ରବେଶ ଲାଗି ବାଧା ଦେଉଛନ୍ତି ପୋଲାଣ୍ଡ ପୁଲିସ ଓ ସେନା। ଗତ କିଛି ଦିନ ଧରି ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓ ଶରଣାର୍ଥୀ ପୋଲାଣ୍ଡ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ।
କିନ୍ତୁ ପୋଲାଣ୍ଡ ପ୍ରଶାସନ ଏମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେଉନାହିଁ। ସୀମାନ୍ତରେ ତାର ବାଡ଼ କରି ପ୍ରବେଶ ଉପରେ କଟକଣା ଲଗାଇଛି। ସେପଟେ ଏଭଳି ଅନୁପ୍ରବେଶକାରୀଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ି ଚାଲିଥିବାରୁ ସୀମାରେ ମାନବୀୟ ସଙ୍କଟ ସୃଷ୍ଟି ହେବାକୁ ଯାଉଛି। ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡା ପରିବେଶରେ ଖାଦ୍ୟ, ପାନୀୟ ବିନା ଆଉଟୁ ପାଉଟୁ ହେଉଛନ୍ତି ହଜାର ହଜାର ଶରଣାର୍ଥୀ । ସେଠାରେ ପ୍ରାୟ ୧୨ ହଜାର ସୈନ୍ୟ ମୁତୟନ ଅଛନ୍ତି । ଏହା ସହିତ ବେଲାରୁଷକୁ ଟାର୍ଗେଟ୍ କରିଛନ୍ତି ପୋଲାଣ୍ଡ ସରକାର । କହିଛନ୍ତି, ଶତ୍ରୁତାପୂର୍ଣ୍ଣ ଆଚରଣ ଏବଂ ଗତିବିଧି ପାଇଁ ଏସବୁ କରାଯାଉଛି । ପ୍ରବାସୀମାନଙ୍କୁ ସୀମା ପାର୍ କରାଯିବାକୁ ପ୍ରୟାସ କରାଯାଉଛି ।
ପୋଲାଣ୍ଡ ସରକାର କହିବା ମୁତାବକ, ଗତ କିଛି ଦିନ ମଧ୍ୟରେ ବେଲାରୁଷରୁ ଅବୈଧ ଭାବେ ପ୍ରବାସୀମାନେ ପ୍ରବେଶ କରିବାରେ ଲାଗିଛନ୍ତି । ୟୁରୋପୀୟ ୟୁନିଅନ, ବେଲାରୁଷର କ୍ଷମତାସୀନ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଶରଣାର୍ଥୀଙ୍କ ପ୍ରବେଶକୁ ସହଜ କରିଥିବା ଅଭିଯୋଗ କରିଛି। ସୀମାନ୍ତରୁ ପ୍ରବାସୀ ତଥା ଶରଣାର୍ଥୀଙ୍କୁ ଘଉଡାଇବା ପାଇଁ ପୋଲାଣ୍ଡକୁ ସମାଲୋଚନା କରାଯାଇଛି। ଏପରିକି ପ୍ରବାସୀଙ୍କୁ ଅଟକାଇବା ପାଇଁ ସୀମାରେ ସେନା ମଧ୍ୟ ମୁତୟନ କରାଯାଇଛି । ଯାହାକୁ ନେଇ ବିଶ୍ୱର ବିଭିନ୍ନ ମାନବିକ ଅଧିକାର ସଂଘ ଚିନ୍ତା ବ୍ୟକ୍ତ କରିଛନ୍ତି ।




admin 