ସାତ ବର୍ଷ ହେଲା କାହିଁକି ବସିନି ରାଜ୍ୟ ସ୍ୱାସ୍ଥ୍ୟ ମିଶନ ବୈଠକ : ମାନସ ଚୌଧୁରୀ
ସାତ ବର୍ଷ ହେଲା କାହିଁକି ବସିନି ରାଜ୍ୟ ସ୍ୱାସ୍ଥ୍ୟ ମିଶନ ବୈଠକ : ମାନସ ଚୌଧୁରୀ
ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ବାହାସ୍ଫୋଟ ମାରି ରଂଗୀନ ବିଜ୍ଞାପନରେ ନିଜର ପ୍ରଚାର କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ନିଜେ ଅଧ୍ୟକ୍ଷ ଥିଲେବି ରାଜ୍ୟ ସ୍ୱାସ୍ଥ୍ୟ ମିଶନର ବୈଠକ ଗତ ୭ ବର୍ଷ ଧରି ବସିନାହିଁ । ଏଥିରୁ ସରକାର କିଭଳି ରାଜ୍ୟର ସ୍ୱାସ୍ଥ୍ୟସେବା ପ୍ରତି ଯନôବାନ ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ।
ଶ୍ରୀ ଚୌଧୁରୀ କହିଛନ୍ତିଯେ, କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ସ୍ୱାସ୍ଥ୍ୟ ମିଶନର ବୈଠକ କିନ୍ତୁ ବର୍ଷ ବର୍ଷ ଧରି ବସୁନାହିଁ । ଶେଷଥର ପାଇଁ ଏହା ୨୦୧୫ ମସିହାରେ ବସିଥିଲା । ରାଜ୍ୟ ସ୍ୱାସ୍ଥ୍ୟ ମିଶନର ଅଧ୍ୟକ୍ଷ ହେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଆବାହକ । ଏହି କମିଟିରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବୈଜ୍ଞାନିକ, ବରିଷ୍ଠ ଚିକିତ୍ସକ, ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ବୁଦ୍ଧିଜୀବୀ, ୟୁନିସେଫ, ୟୁଏନଡିପିର ସଦସ୍ୟ, ବିଭିନ୍ନ ବିଭାଗର ଶାସନ ସଚିବ ଆଦି ୩୩ ବର୍ଗର ଲୋକେ ସ୍ଥାନ ପାଇଛନ୍ତି । ଏହି ମିଶନର ମୁଖ୍ୟ କାର୍ଯ୍ୟ ହେଉଛି ରାଜ୍ୟ ସ୍ୱାସ୍ଥ୍ୟସେବା ଉପରେ ବିସ୍ତୃତ ଆଲୋଚନା ସହିତ ଖସଡ଼ା ପ୍ରସ୍ତୁତ କରିବା ।
ମିଶନର ବୈଠକ ବର୍ଷକୁ ଅତି କମରେ ଦୁଇଥର ବସିବାକଥା । ଜରୁରୀ ସମୟରେ ଯେକୌଣସି ସମୟରେ ଏହାର ବୈଠକ ବସିପାରିବ । ବୈଠକରେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତରେ ସମସ୍ତଙ୍କ ମତାମତ ଗ୍ରହଣ କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇପାରିବ । ତେବେ କରୋନା ଭଳି ମହାମାରୀ ଓ ସ୍ୱାସ୍ଥ୍ୟ ସଂକଟ ସମୟରେ ଏହାର ବୈଠକ ନ ବସିବା ଏବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟନୀତି ପଦାରେ ପକାଇଛିବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି ।
ମିଶନର ବୈଠକ ଶେଷଥର ପାଇଁ ୨୦୧୫ ରେ ବସିଥିବା ବେଳେ ଏହା ପରେ ଆଉ ବୈଠକ ବସୁନାହିଁ । ଖୋଦ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଆବାହକ ଥିବା କମିଟିର ବୈଠକ କାହିଁକି ବସୁନାହିଁ ତାହା ବଡ଼ ପ୍ରଶ୍ନବାଚୀ ହୋଇଛି । ରାଜ୍ୟ ସରକାର ଏଭଳି ସମୟରେ ଏକାଧିକ କମିଟି ଗଠନ ଓ ବିଶେଷଜ୍ଞମାନଙ୍କ ପରାମର୍ଶ ଲୋଡୁଥିବା ବେଳେ କାହିଁକି ସ୍ୱାସ୍ଥ୍ୟ ମିଶନର ବୈଠକ ଡାକୁନାହାନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ତୁରନ୍ତ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ସ୍ପଷ୍ଟ କରିବା ସହିତ ମୁଖ୍ୟମନ୍ତ୍ରୀ ମିଶନର ବୈଠକ ଡାକିବାକୁ ସେ ଦାବି କରିଛନ୍ତି ।




admin 