ସାଉଥ ଫିଲ୍ମ କମେଡିଆନ ବେଣୁ ମାଧବଙ୍କ ନିଧନ
ସାଉଥ ଫିଲ୍ମ କମେଡିଆନ ବେଣୁ ମାଧବଙ୍କ ନିଧନ
admin
Sep 25, 2019 - 12:13
Updated: Sep 25, 2019 - 12:13
ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡ଼ିର କମେଡିଆନ ବେଣୁ ମାଧବଙ୍କ ନିଧନ। ଦୀର୍ଘ ଦିନରୁ ବେଣୁ କିଡନୀ ଓ ଲିଭର ରୋଗରେ ଆକ୍ରାନ୍ତ ଥିବା ବେଳେ ମଙ୍ଗଳବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସିକନ୍ଦରାବାଦ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବେଣୁଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିବା ବେଳେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୯ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଏନେଇ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଟୁଇଟ କରି ଶୋକପ୍ରକାଶ କରିଛନ୍ତି। ୧୯୭୯ରେ ଆନ୍ଧ୍ର ପ୍ରଦେଶର ନଲଗୋଣ୍ଡା ଜିଲାର କୋଡାଡ ଗଁାରେ ବେଣୁ ଜନ୍ମଗ୍ରହଣ କରିଥିଲେ। ୧୯୯୬ରେ ଫିଲ୍ମ ‘ସମ୍ପ୍ରଦାୟମ’ ଜରିଆରେ ଜଣେ କମେଡିଆନ ଭାବେ ଅଭିନୟ କରି ବେଣୁ ତେଲଗୁ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ। ହାସ୍ୟ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ଅଭିନେତା ବହୁ ସୁପରହିଟ ଫିଲ୍ମରେ କାମ କରି ସାରିଛନ୍ତି। ତେଲଗୁ ଓ ତାମିଲରେ ପ୍ରାୟ ୨ଶହଟି ଫିଲ୍ମରେ ସେ କାମ କରିଥିବା ଜଣାପଡ଼ିଛି। ଦର୍ଶକଙ୍କୁ ପରଦାରେ ହସାଇ ହସାଇ ବେଦମ କରାଇ ପାରୁଥିବା ବେଣୁଙ୍କ ଶେଷ ଫିଲ୍ମ ଥିଲା ‘ଡ଼.ପାରାମାନନଦହିହା ଷ୍ଟୁଡେଣ୍ଟ’। ୨୦୧୬ରୁ ଏହି ଫିଲ୍ମର ଶୁଟିଂ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହା ରିଲିଜ୍ ହୋଇ ନ ଥିବା ଜଣାପଡ଼ିଛି।