ସବୁଠୁ ଅଧିକ ମଦ ପିଅନ୍ତି ଆସାମର ମହିଳା
ସବୁଠୁ ଅଧିକ ମଦ ପିଅନ୍ତି ଆସାମର ମହିଳା
admin
Oct 28, 2020 - 10:16
Updated: Oct 28, 2020 - 10:16
ନୂଆଦିଲ୍ଲୀ : ଦେଶରେ ଆସାମର ମହିଳା ମାନେ ସର୍ବାଧିକ ମଦ୍ୟପାନ କରନ୍ତି । ୨୦୧୯-୨୦ ବର୍ଷରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଆସିବା ପରେ ଏହି ତଥ୍ୟ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ୧୫-୪୯ ବର୍ଷ ବୟସ ମଧ୍ୟରେ ଆସାମରେ ୨୬.୩ ପ୍ରତିଶତ ମଦ୍ୟପାନ କରୁଥିବା ବେଳେ ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ । ଏହି ସମୟରେ ଜାତୀୟ ହାର ୧.୨ ପ୍ରତିଶତ ରହିଥିବା ବେଳେ ମେଘାଳୟ ୮.୭ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।
୨୦୦୫-୦୬ ମସିହାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଆସାମରେ ମାତ୍ର ୭.୫ ପ୍ରତିଶତ ମହିଳା ମଦ୍ୟପାନ କରୁଥିଲେ । ୩୩.୬ ପ୍ରତିଶତ ସହିତ ଅରୁଣାଚଳ ପ୍ରଦେଶ ଏହି ତାଲିକାର ଉପରେ ରହିଥିବା ବେଳେ ସିକ୍କିମ(୧୯.୧), ଛତିଶଗଡ(୧୧.୪), ଝାରଖଣ୍ଡ (୯.୯) ଏବଂ ତ୍ରିପୁରା (୯.୬) ଏହା ତଳକୁ ରହିଥିଲେ । ଏହି ରାଜ୍ୟ ମାନଙ୍କରେ ମଦ୍ୟ ସେବନ ହ୍ରାସ ପାଇଥିଲେ ମଧ୍ୟ ଆସାମରେ ଏହା ଆକାଶ ଛୁଆଁ ହୋଇଛି । ସେହିପରି ଆାସାମରେ ୩୫.୬ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି ଯାହାକି ଆଗରୁ ୨୯.୨ ପ୍ରତିଶତ ରହିଥିଲା । ୫୯ ପ୍ରତିଶତ ସହିତ ଅରୁଣାଚଳ ପ୍ରଦେଶ ଏହି ତାଲିକାର ସର୍ବାଗ୍ରେ ରହିଛି । ୪୪.୮ ପ୍ରତିଶତ ଆସାମ ମହିଳା ସପ୍ତାହକୁ ଅନ୍ୟୁନ ଥରେ ମଦ ପିଉଥିବା ବେଳେ ଜାତୀୟ ହାର ୩୫ ପ୍ରତିଶତ ରହିଛି । ସେହିପରି ଆସାମର ୫୧.୯ ପ୍ରତିଶତ ପୁରୁଷ ସପ୍ତାହକୁ ଅନ୍ୟୁନ ଥରେ ମଦ ପିଇଥାନ୍ତି ଏହାର ଜାତୀୟ ହାର ୪୦.୭ ରହିଛି । ସେହିପରି ଗୁଟଖା ଖାଇବାରେ ମଧ୍ୟ ଆସାମ ଉପରେ ରହିଛି । ଆସାମର ୧୭.୭ ପ୍ରତିଶତ ମହିଳା ଗୁଟଖା ଖାଉଥିବା ବେଳେ ଜାତୀୟ ହାର ୬.୮ ପ୍ରତିଶତ ରହିଛି ଏବଂ ୬୦ ପ୍ରତିଶତ ପୁରୁଷ ଗୁଟଖା ଖାଉଥିବା ବେଳେ ଜାତୀୟ ହାର ୪୪.୫ ପ୍ରତିଶତ ରହିଛି ।