ରାମଚନ୍ଦ୍ର ଖୁଂଟିଆଙ୍କ ଘରେ କଂଗ୍ରେସ ନେତାଙ୍କ ମେଳି

ରାମଚନ୍ଦ୍ର ଖୁଂଟିଆଙ୍କ ଘରେ କଂଗ୍ରେସ ନେତାଙ୍କ ମେଳି

ରାମଚନ୍ଦ୍ର ଖୁଂଟିଆଙ୍କ ଘରେ କଂଗ୍ରେସ ନେତାଙ୍କ ମେଳି

ଭୁବନେଶ୍ୱର : କଂଗ୍ରେସ ଭାରି ଦୁଃସ୍ଥିତି ଦେଇ ଗତି କରୁଛି  । ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦବୀରୁ ହଟାଇବା ପାଇଁ ଦାବି ହେଉଥିବାବେଳେ ଅପରପକ୍ଷରେ ନିରଞ୍ଜନ ବି ପଦବୀରେ ରହିବାକୁ ଚାହୁଁନାହାନ୍ତି  । ଏଭଳି କ୍ଷେତ୍ରରେ ପିସିସି ସଭାପତି ପଦ ପାଇଁ ଏବେ ନେତାମାନେ ଲବି ଆରମ୍ଭ କରି ଦେଇଛନ୍ତି  । ପିସିସି ସଭାପତି ରେସରେ ଅନେକ ନେତା ଥିବାବେଳେ ଆଗରେ ରହିଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ଖୁଂଟିଆ  । ଆଜି ପ୍ରଦୀପ ମାଝୀ ଦଳ ଛାଡ଼ିଥିବାବେଳେ ରାମଚନ୍ଦ୍ରଙ୍କ ଘରେ କଂଗ୍ରେସ ନେତାଙ୍କ ମେଳିକୁ ନେଇ ଚର୍ଚ୍ଚା ଜୋରଧରିଛି  । 

ଦଳର ଅନେକ ଯୁବ, ଛାତ୍ର ଓ ବରିଷ୍ଠ ନେତାମାନେ ରାମଚନ୍ଦ୍ରଙ୍କ ଘରେ ଗୁପ୍ତ ମନ୍ତ୍ରଣା କରୁଥିବାନେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି  । ରାମଚନ୍ଦ୍ରଙ୍କ ସହ ନିରଞ୍ଜନଙ୍କ କେତେକ ସମର୍ଥକ ଥିବା ଜାଣିବାକୁ ମିଳିଛି  । ନିରଞ୍ଜନଙ୍କ ସହ ଥିବା କେତେକ ନେତା ରାମଚନ୍ଦ୍ର ସଭାପତି ହୁଅନ୍ତୁ ବୋଲି ଲବି ଆରମ୍ଭ କରିଦେଇଛନ୍ତି  ।

ଆରସି ଖୁଂଟିଆ ଭାବେ ଜାତୀୟ ରାଜନୀତିରେ ପରିଚିତ ରାମଚନ୍ଦ୍ର ଖୁଂଟିଆ ଦଳର ବହୁ ବଡ଼ ପଦବୀ ମଣ୍ଡନ କରି ସାରିଛନ୍ତି  । ହାଇକମାଣ୍ଡଙ୍କ ଖାସ ଲୋକ ହୋଇଥିବାରୁ ୧୯୯୮ରୁ ୨୦୦୪ ଓ ୨୦୦୮ରୁ ୨୦୧୪ ପର୍ଯ୍ୟନ୍ତ ସେ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ଯାଇପାରିଥିଲେ  । ଏଆଇସିସି ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିବା ରାମଚନ୍ଦ୍ରଙ୍କୁ ତେଲେଙ୍ଗାନା ପ୍ରଭାରୀ ଦାୟିତ୍ୱ ବି ମିଳିଥିଲା  । ସମ୍ପ୍ରତି ସେ ଅନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ସଂଗଠନର ବି ଅଧ୍ୟକ୍ଷ ଅଛନ୍ତି  । ଶ୍ରମିକ ନେତା ଭାବେ ଖ୍ୟାତି ଅର୍ଜନ କରିଥିବା ରାମଚନ୍ଦ୍ର ଖୁଂଟିଆ ଜାତିସଂଘ, ଅନ୍ତର୍ଜାତୀୟ ଶ୍ରମିକ ସଂଗଠନରେ ବି ପ୍ରତିନିଧିତ୍ୱ କରି ପ୍ରସିଦ୍ଧି ଲାଭ କରିଛନ୍ତି  ।