ରାଜ୍ୟ ବିଜେପିର ନେତୃତ୍ୱ ନେବେ ବିଜୟ ମହାପାତ୍ର !

ରାଜ୍ୟ ବିଜେପିର ନେତୃତ୍ୱ ନେବେ ବିଜୟ ମହାପାତ୍ର !

ରାଜ୍ୟ ବିଜେପିର ନେତୃତ୍ୱ ନେବେ ବିଜୟ ମହାପାତ୍ର !

ଭୁବନେଶ୍ୱର : ରାଜ୍ୟ ବିଜେପିର ନେତୃତ୍ୱ ନେବେ ବିଜୟ ମହାପାତ୍ର  । ବିଜୟଙ୍କ ନେତୃତ୍ୱରେ ଆଗାମୀ ଦିନରେ ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ହେବ  । ଦଳର ବହୁ ବରିଷ୍ଠ ନେତା ଏବେ ବିଜୟଙ୍କ ନେତୃତ୍ୱ ସପକ୍ଷରେ ଯୁକ୍ତି ବାଢୁଛନ୍ତି  । ଏନେଇ ନୂଆଦିଲ୍ଲୀରେ ବି ଚର୍ଚ୍ଚା ହୋଇଛି  । ଦଳର ହାଇକମାଣ୍ଡଙ୍କୁ ବି ଏନେଇ ଅବଗତ କରାଯାଇଛି  । ଏଭଳି ଏକ ଚର୍ଚ୍ଚା ଏବେ ବିଜେପି ଅଳିନ୍ଦରେ ଘୂରିବୁଲୁଛି  । 

ବିଜେପି ଶିବିରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଏବେ ସମୀର ମହାନ୍ତି ବିଜେପିର ରାଜ୍ୟ ସଭାପତି ଅଛନ୍ତି  । ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ହୋଇଥିବାରୁ ତାଙ୍କୁ ଦଳର ସଭାପତି କରାଯାଇଛି  । ଏହି ପଦ ଉପରେ ପୂର୍ବରୁ ପୃଥ୍ୱୀରାଜ ହରିଚନ୍ଦନଙ୍କର ମଧ୍ୟ ଆଖି ଥିଲା  । କିନ୍ତୁ ଧର୍ମେନ୍ଦ୍ରଙ୍କ ଗୋଟିଚାଳନା ଆଗରେ ସେ ଫିକା ପଡ଼ିଯାଇଥିଲେ  । ଏବେ ଶ୍ରୀ ହରିଚନ୍ଦନ ଅପରାଜିତାଙ୍କର ନିକଟତର ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି  । ତେବେ ସେ ଯାହାହେଉନା କାହିଁକି ଉପରସ୍ତରରେ ବିଜେଡ଼ି ଓ ବିଜେପି ମଧ୍ୟରେ ସମ୍ପର୍କ ଯୋଗୁଁ ଧର୍ମେନ୍ଦ୍ର ବିଜେଡ଼ି ବିରୋଧରେ ପୂର୍ବଭଳି ଆକ୍ରମଣାତ୍ମକ ରଣନୀତି କରୁନାହାନ୍ତି  । ଯାହାକି ଦଳୀୟ ସଂଗଠନକୁ ପ୍ରଭାବିତ କରିଛି  । ସମୀରଙ୍କ ନେତୃତ୍ୱ ମଧ୍ୟ ଅନ୍ୟମାନଙ୍କ ପାଇଁ ଗ୍ରହଣୀୟ ହେଉନାହିଁ  । ଫଳରେ ନବୀନଙ୍କ କଟ୍ଟର ବିରୋଧୀ ଭାବେ ପରିଚିତ ବିଜୟଙ୍କୁ ଦଳର ନେତୃତ୍ୱ ଦେବାପାଇଁ କେତେକ ନେତା ଗୋଟି ଚାଳନା କରିଛନ୍ତି  । ଯାହାଫଳରେ ଦଳ ସଂଗଠିତ ହେବା ସହ ଧର୍ମେନ୍ଦ୍ରଙ୍କ ମନମାନିରୁ ବି ଦଳକୁ ମୁକ୍ତି ମିଳିପାରିବ ବୋଲି ଚର୍ଚ୍ଚା ହେଉଛି  । 

ନିକଟରେ ଅପରାଜିତାଙ୍କ ପୁଅର ସଫଳତା ପାଇଁ ହୋଟେଲରେ ଯେଉଁ ପାର୍ଟି ହୋଇଥିଲା ସେଥିରେ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ  । ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ନେତା ବି ଯୋଗ ଦେଇଥିଲେ  । ଧର୍ମେନ୍ଦ୍ରଙ୍କ ପାଇଁ ଏହିସବୁ ନେତାମାନଙ୍କ ପତିଆରା କମିଥିବାରୁ ସେମାନେ ମିଳିତ ରଣନୀତି କରିଥିବା ଜଣାପଡ଼ିଛି  । ଏନେଇ ଦିଲ୍ଲୀରେ ବି ବରିଷ୍ଠ ନେତାମାନଙ୍କୁ ଅବଗତ କରାଯାଇଛି  । ଅପରପକ୍ଷରେ ଧର୍ମେନ୍ଦ୍ରଙ୍କୁ ଉତରପ୍ରଦେଶ ନିର୍ବାଚନ ଦାୟିତ୍ୱ ମିଳିଛି  । ଏହାଦ୍ୱାରା କେତେକ ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢ଼ିଛି ବୋଲି କହୁଥିବାବେଳେ ଅନ୍ୟ କେତେକ ଓଡ଼ିଶା ରାଜନୀତିରୁ ଧର୍ମେନ୍ଦ୍ରଙ୍କୁ ହଟାଇବା ପାଇଁ ଏଭଳି ରଣନୀତି କରାଯାଇଛି  । ଆଗକୁ ପଂଚାୟତ ନିର୍ବାଚନ ଆସୁଛି  । ତେଣୁ ବିଜୟଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ନା ସମୀର ମହାନ୍ତିଙ୍କ ନେତୃତ୍ୱରେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି  ।