ରାଜ୍ୟରେ ବସ ସ୍ୱାଭାବିକ ଚଳାଚଳ ପାଇଁ ମନ୍ତ୍ରୀ ଡାକିଲେ ବୈଠକ
ରାଜ୍ୟରେ ବସ ସ୍ୱାଭାବିକ ଚଳାଚଳ ପାଇଁ ମନ୍ତ୍ରୀ ଡାକିଲେ ବୈଠକ
ଭୁବନେଶ୍ୱର: ସାରା ରାଜ୍ୟରେ ବସ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏହା ସତ୍ତ୍ୱେ ବି ବସ ସେବା ସ୍ୱାଭାବିକ ହୋଇପାରୁନି । ବସ ମାଲିକ ସଂଘ ବିଭିନ୍ନ ଦାବିକୁ ନେଇ ବସ ଚଳାଚଳ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଆସନ୍ତାକାଲି ଏକ ବୈଠକ ଡାକିଛନ୍ତି । ଘରୋଇ ବସ ଚଳାଚଳ ନେଇ ଆସନ୍ତାକାଲି ମନ୍ତ୍ରୀଙ୍କ ସହ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
ସେ କହିଛନ୍ତି ଯେ, ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ବୈଠକ ଡାକିଛନ୍ତି । ଏହା ପରେ ନିଷ୍ପତ୍ତି ନେବୁ । ବର୍ତ୍ତମାନ ସ୍ଥିତିରେ ମାଲିକମାନେ ଚାହିଁଲେ ବି ବସ ଚଳାଇ ପାରୁନାହାନ୍ତି ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ।
ଅନ୍ୟପକ୍ଷରେ ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡ଼ିନାହିଁ । ବସ ଚାଲିବା ଆଶାରେ ଆସିଥିବା ଯାତ୍ରୀ ମାନେ ନିରାଶ ହୋଇ ଫେରିଛନ୍ତି । ଭୁବନେଶ୍ୱର ଘରୋଇ ବସ ମାଲିକ ସଙ୍ଘର ଆଜି ଜରୁରୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଲୋଚନା ସହ ପରବର୍ତ୍ତୀ କାର୍ୟ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ବସ୍ ଚଳାଚଳ ନେଇ ପ୍ରତିକ୍ରିୟା ରଖଛନ୍ତି ପରିବହନ ମନ୍ତ୍ରୀ । ବସ ମାଲିକଙ୍କ କିଛି ଦାବି ରହିଛି । ସେ ସମ୍ପର୍କରେ ସରକାର ଓ ପରିବହନ ବିଭାଗ ଅବଗତ ରହିଛି । ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ୟ୍ୟ ହୋଇଛି । ଆଲୋଚନା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ପ୍ରକାଶ ଯେ, ଆସନ୍ତା ଅଗଷ୍ଟ ୧ ଯାଏଁ ପୁଣି ଥରେ ଆଂଶିକ ଲକଡାଉନ ଘୋଷଣା କରାଯାଇଥିବା ବେଳେ ସାରା ରାଜ୍ୟରେ ବସ ସେବା ଚାଲୁ ରହିବ । ବସରେ ଯେତିକି ସିଟ ସେତିକି ଲୋକ ଯିବାକୁ ଅନୁମତି ମିଳିବ । କେବଳ ପୁରୀକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି ଓ ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ । ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ । ଏହା ପୂର୍ବରୁ କେବଳ କାଟେଗୋରୀ ‘ଏ’ରେ ବସ ଚଳାଚଳ ପାଇଁ ଅନୁମତି ଥିଲା । ତେବେ କଟକ ଓ ଭୁବନେଶ୍ୱରକୁ ବସ ଚଳାଚଳ ପାଇଁ ଅନୁମତି ନଥିବାରୁ ବସ ଚଳାଚଳ ହୋଇପାରୁନିଥିଲା ।