ରାଜଧାନୀର ଡ୍ରେନ୍କୁ ଦେଖିଲେ ଡର
ରାଜଧାନୀର ଡ୍ରେନ୍କୁ ଦେଖିଲେ ଡର
ଭୁବନେଶ୍ବର: ସହରକୁ ସ୍ବଚ୍ଛ ସୁନ୍ଦର କରିବାକୁ ବିଭିନ୍ନ ବ୍ୟବସ୍ଥେମ କରାଯାଉଛି। ସ୍ମାର୍ଟ ସିଟି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଚିକ୍କଣ ପକ୍କା ରାସ୍ତା କରାଯାଉଛି। ବସ୍ତି ଭାଙ୍ଗି ଉଚ୍ଚା ଉଚ୍ଚା ବିଲ୍ଡିଂ, ଆପାର୍ଟମେଣ୍ଟ କରାଯାଉଛି। ଘରମାନଙ୍କରୁ ନିର୍ଗତ ହେଉଥିବା ନର୍ଦମା ଜଳକୁ ଛାଡ଼ିବାକୁ ଡ୍ରେନ୍ କରାଯାଉଛି। ରାସ୍ତାରେ ବର୍ଷା ପାଣି ଯେପରି ନ ଜମେ ସେଥିପାଇଁ ନିଷ୍କାସନ ବ୍ୟବସ୍ଥା କରାଯାଉଛି। ଲମ୍ବା ଲମ୍ବା ଚଉଡ଼ା ଚଉଡ଼ା ଡ୍ରେନ୍ ବି ହୋଇଛି। ହେଲେ ଦୂରଦୃଷ୍ଟିର ଅଭାବ, ଅବହେଳା ଆଉ ଦାୟତ୍ବବୋଧର ଅଭାବରୁ ଆଜି ରାଜଧାନୀର ଡ୍ରେନ୍ ରାଜଧାନୀବାସୀଙ୍କ ପାଇଁ କାଳ ସାଜିଛି। ଏବେ ଲୋକମାନେ କୁହାକୋହି ହେଉଛନ୍ତି, ‘ରାଜଧାନୀର ଡ୍ରେନ୍କୁ ଦେଖିଲେ ଡର’ ଲାଗୁଛି। ଡ୍ରେନ୍ ସହରର ଆବର୍ଜନା ବୋହିବାକୁ ହେଇଛି ନାଁ ମଣିଷର ଜୀବନ ନେବାକୁ ହେଇଛି ବୋଲି କେହି କେହି ପ୍ରଶ୍ନ କରିଛନ୍ତି। କେହି କେହି ଏହା ଏକ ସରକାରୀ ହତ୍ୟା ବୋଲି କହିବାକୁ ପଛାଉ ନାହାନ୍ତି। ଏହା ସରକାରୀ ଅବହେଳା ନୁହେଁ, ସରକାରୀ ହତ୍ୟା ବୋଲି କହୁଛନ୍ତି। ତେବେ କିଛି ଲୋକ ଅଛନ୍ତି ସେମାନେ ସରକାରଙ୍କ ଦୋଷ ଦୁର୍ବଳତା କି ପ୍ରଶାସନର ଅବହେଳାକୁ ଦାୟୀ କରୁନାହାନ୍ତି। ବରଂ ସେମାନେ ଯାହାର ଜୀବନ ଗଲା ତାକୁ ଦାୟୀ କଲେଣି। କେହି କେହି ବର୍ଷାକୁ ବି ଦାୟୀ କଲେଣି। ଏତେଜୋରରେ ବର୍ଷା ହେବା ଦରକାର କ’ଣ ବୋଲି ପ୍ରଶ୍ନ କଲେଣି। ଭଲ କହିବ ଏହି ଲୋକମାନଙ୍କୁ। ନିଜ ଉପରକୁ ସେ ଦୁଃଖ ନ ଆସିଲେ କେହି କ’ଣ ଏପରି ପ୍ରଶ୍ନ କରିପାରେ ?
ଏବେ ଆସିବା ମୂଳ ପ୍ରସଙ୍ଗକୁ। ରାଜଧାନୀରେ ଲମ୍ବିଛି ପ୍ରାୟ ୮୦୦ କିଲୋମିଟର ଲମ୍ବର ଡ୍ରେନ୍। ଏଥିରେ ମୁଖ୍ୟ ଓ ଶାଖା ଡ୍ରେନ୍ ବ ରହିଛି। ହେଲେ ଏହି ଡ୍ରେନ୍ଗୁଡ଼ିକର ରକ୍ଷଣାବେକ୍ଷଣ ଠିକ୍ରେ ହେଉଛି କି ନାର୍ହି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରର ମୁଖ୍ୟ ରାସ୍ତା ପାର୍ଶ୍ବରେ ଏମିତି ଡ୍ରେନ୍ ରହିଛି ଯେଇଁଥିରେ ବର୍ଷ ବର୍ଷ ଧରି ସ୍ଲାବ୍ (ଢାଙ୍କୁଣି) ପଡ଼ୁନି। ମୁଖ୍ୟ, ଚଉଡ଼ା ଓ ଗଭୀର ଡ୍ରେନ୍ ତ ଏମିତିରେ ସବୁବେଳେ ମୁକୁଳା। କେତେକ ଡ୍ରେନ୍ ବର୍ଷ ବର୍ଷ ଧରି ସଫା ହେଉନି। କେବଳ ବର୍ଷା ଆସିବା ପୂର୍ବରୁ ନାମକୁ ମାତ୍ର ସଫା ହେଉଛି। ଜୋରରେ ବର୍ଷା ହେଲେ ଡ୍ରେନ୍ ଉଛୁଳି ରାସ୍ତାରେ ନର୍ଦମା ଜଳ ଭାସୁଛି। ସେହପରି ବର୍ଷ ବର୍ଷ ଧରି କି କାମ ହେଉଛି କେଜାଣି ଅଧିକାଂଶ ସମୟ ଦେଖାଯାଉଛି ସହରର ଅନେକ ରାସ୍ତା ପାର୍ଶ୍ବ ଖୋଳାଯାଉଛି। କେତେବେଳେ କେବୁଲ୍ ବିଛାଇବାକୁ ତ କେତେବେଳେ ପାଣି ପାଇପ୍ ବିଛାଇବା ନାଁରେ ରାସ୍ତା ଖୋଳାଯାଉଛି। ସେମିତି ସ୍ବେରେଜ କାମ ତ ବର୍ଷ ବର୍ଷ ଧରି ସରୁନି। ସବୁଠି ରାସ୍ତା ଖୋଳା ହୋଇ ରହିଛି। ବର୍ଷା ହେଲେ ଉକ୍ତ ରାସ୍ତା ସଂପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇ ପଡ଼ୁଛି। ଆହୁରି ମଧ୍ୟ ଏଠାରେ ବିଭାଗ ବିଭାଗ ମଧ୍ୟରେ ତାଳମେଳ ବି ରହୁନି। କେତେବେଳେ ସ୍ବେରେଜ ବିଭାଗ କାମ କରି ଚାଲିଯିବା ପରେ ରାସ୍ତାକୁ ପକା କରାଯାଉଛି। ପୁଣି ସେହି ରାସ୍ତାକୁ ଆଉ କେଉଁ କେବୁଲ୍ କମ୍ପାନି ଆସି ଖୋଳି ପକାଉଛି। ଯିଏ ଯେଉଁଠି ପାରିଲା ଖୋଳି ପକାଉଛି। ପୁଣି ପୋତା ଯାଉଛି। ଏମିତି ବର୍ଷ ସାରା ପୋତା, ଖୋଳା ଜାରି ରହିଛି। ବର୍ଷା ହେଲେ ସେହି ରାସ୍ତାରେ ପାଣି ଜମୁଛି। ଦୁର୍ଘଟଣା ବି ଘଟୁଛି।
ଭୁବନେଶ୍ବର ଡ୍ରେନ୍ ଟ୍ରାଜେଡିରେ ଗତ ୬ ବର୍ଷ ଭିତରେ ୩/୪ ଜଣଙ୍କ ଜୀବନ ଗଲାଣି। ପ୍ରତିଥର ଦୁର୍ଘଟଣା ପରେ ବିଏମ୍ସି ତତ୍ପରତା ପ୍ରକାଶ କରୁଛି।ପୁଣି ଯେସାକୁ ତେସା। ୨୦୧୬ ଅଗଷ୍ଟ ମାସ ୨୬ ତାରିଖରେ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳରେ ୯ ବର୍ଷର ବାଳକର ଡ୍ରେନ୍ରେ ଭାସି ମୃତ୍ୟୁ ହୋଇଥିଲା। ୨୦୧୮ରେ ଜଣେ ଶିଶୁ ଓ ୨୦୧୯ ରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିଲା। ପୁଣି ୨୦୨୧ରେ ସମାନ ଘଟଣାରେ ବରମୁଣ୍ଡା ଅଞ୍ଚଳର ୧୫ ବର୍ଷର ନାବାଳକ ସୌମ୍ୟରଂଜନ ଓରଫ ରାଜାର ଜୀବନ ଚାଲିଗଲା। ବାପା ମା ତାର କେତେ ସ୍ବପ୍ନଦେଖି ନଥିଲେ। ପୁଅ ମାଟ୍ରିକ୍ ପରୀକ୍ଷା ଦେଇଥାନ୍ତା। ଡାକ୍ତର ହୋଇଥାନ୍ତା। ହେଲେ ଏହି କଁଅଳ ବୟସରେ ଭୁବନେଶ୍ବର ଡ୍ରେନ୍ ତାର ଜୀବନ ନେଇଗଲା। ଏଥିପାଇଁ ଦାୟୀ କିଏ ? ଆମ ବ୍ୟବସ୍ଥା ? ପ୍ରାଶାସନିକ ଅବହେଳା ? ନା ସରକାର କଳର ଅପଣିମଦର୍ଶୀ କାର୍ୟ୍ୟ ? ଏ ବାବଦରେ ଏବେ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି। ଦଳମତ ନିର୍ବିଶେଷରେ ରାଜଧାନୀର ଏହି ବିକଳ ବ୍ୟବସ୍ଥାରେ ପରିବର୍ତ୍ତନ କରିବାରେ ସମୟ ଆସିଛି। ଗୋଟିଏ ମଣିଷର ମୂଲ୍ୟ କେବେ ବି ୪ ଲକ୍ଷ ଟଙ୍କା ହୋଇ ନପାରେ। ଆଗକୁ ଯେପରି ଡ୍ରେନ୍ ଏମିତି ଜୀବନ ନ ନିଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଦାେୟୀ ଓ ଅବହେଳା କରିଥିବା ଅଧିକାରୀ ବିରୋଧର ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ସାଧାରଣରେ ମତପ୍ରକାଶ ପାଇଛି।




admin 