ଗୁଜୁରାଟରୁ ଆମଦାନୀ ହୋଇଛି ଅପରାଜିତାଙ୍କ ‘ୟୂଥ ଫର ଆକ୍ସନ’

ଗୁଜୁରାଟରୁ ଆମଦାନୀ ହୋଇଛି ଅପରାଜିତାଙ୍କ ‘ୟୂଥ ଫର ଆକ୍ସନ’

ଗୁଜୁରାଟରୁ ଆମଦାନୀ ହୋଇଛି ଅପରାଜିତାଙ୍କ ‘ୟୂଥ ଫର ଆକ୍ସନ’

ଭୁବନେଶ୍ୱର : ଭୁବନେଶ୍ୱରର ସୀମା ଡେଇଁ ସାରା ରାଜ୍ୟରେ କାୟା ବିସ୍ତାର କରିବା ଲକ୍ଷ୍ୟରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  । ନିଜ ନିର୍ବାଚନମଣ୍ଡଳୀ ବ୍ୟତୀତ ଅନ୍ୟ ନିର୍ବାଚନମଣ୍ଡଳୀମାନଙ୍କରେ ବି ସେ ସଂଗଠନ ବିସ୍ତାର କରିବାରେ ଲାଗିଛନ୍ତି  । ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ଉପରେ ଖପ୍ପା ଥିବା କାର୍ଯ୍ୟକର୍ତାମାନଙ୍କୁ ସେ ଏବେ ନିଜ ଖାଳେଇରେ ଭର୍ତି କରିବାରେ ଲାଗି ପଡ଼ିଛନ୍ତି  । ତେବେ ଅପରାଜିତା ସାରା ରାଜ୍ୟ ବୁଲିବା ପାଇଁ ୟୂଥ ଫର ଆକ୍ସନକୁ ଆୟୂଧ କରିଛନ୍ତି  । ଅପରାଜିତା କିନ୍ତୁ ଏଭଳି କନସେପ୍ଟ ଗୁଜୁରାଟରୁ ଆମଦାନୀ କରିଥିବା ଜାଣିବାକୁ ମିଳିଛି  ।

୨୦୦୭ରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ୟୂଥ ଫର ଗୁଜୁରାଟ ଆରମ୍ଭ କରିଥିଲେ  । ଯୁବକମାନଙ୍କ ଭୋଟକୁ ଏକତ୍ର କରିବା ପାଇଁ ଏଭଳି ଏକ ଅଣରାଜନୈତିକ ସଂଗଠନ ଗଠନ ହୋଇଥିଲା  । ଏବେ ଗୁଜୁରାଟରେ ଏହି ସଂଗଠନର ନେତୃତ୍ୱ ନେଉଛନ୍ତି ଗୁଜୁରାଟ ବିଜେପି ସଭାପତି ସିଆର ପାଟିଲଙ୍କ ପୁଅ ଜିଗ୍ନେଶ ପଟେଲ  । ଯୁବକମାନଙ୍କୁ ନେଇ ୧୪ ବର୍ଷ ଧରି ଏହି ସଂଗଠନ କାର୍ଯ୍ୟ କରିଆସୁଛି  । ଏଥିରୁ ହିଁ ଅପରାଜିତାଙ୍କ ୟୂଥ ଫର ଆକ୍ସନର ଉଦ୍ଭବ ଘଟିଛି  । ୟୂଥ ଫର ଆକ୍ସନକୁ ନେଇ ଦଳୀୟ ସଂଗଠନରେ ବି ଫାଟ ସୃଷ୍ଟିହୋଇଛି  । କେତେକ ନେତା ଏହାକୁ ବିରୋଧ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି  । ବିଜେପି ଯୁବ ମୋର୍ଚ୍ଚାକୁ କାଉଂଟର କରିବା ପାଇଁ ଅପରାଜିତା ଏଭଳି କରୁଛନ୍ତି ବୋଲି ତାଙ୍କ ନାମରେ ଅଭିଯୋଗ ଆସିଛି  । କିନ୍ତୁ ଏଭଳି ଅଭିଯୋଗକୁ ଅପରାଜିତାଙ୍କ ଖାତିର ନାହିଁ  । ଯଦି ମୋଦି ୟୂଥ ଫର ଗୁଜୁରାଟ କରିଥିଲେ ତେବେ ଅପରାଜିତା ୟୂଥ ଫର ଆକ୍ସନ କଲେ ଅସୁବିଧା କ’ଣ ବୋଲି ତାଙ୍କ ସମର୍ଥକମାନେ ମତପୋଷଣ କରିଛନ୍ତି  ।

ଅପରାଜିତା ଏବେ ଗୁଜୁରାଟ ଗସ୍ତରେ ଥିବାବେଳେ ସେଠାରେ ୟୂଥ ଫର ଗୁଜୁରାଟର କାର୍ଯ୍ୟକର୍ତାମାନଙ୍କ ସହ ଆଲୋଚନା କରିଛନ୍ତି  । ଅପରାଜିତାଙ୍କ ସହ ଗୁଜୁରାଟ ଯାଇଛନ୍ତି ୟୂଥ ଫର ଆକ୍ସନର ସହ ସଂଯୋଜକ ସୁଜିତ ସିଂ  । ଉଭୟ ସଂଗଠନ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜାଣିବାକୁ ମିଳିଛି  । ମୋଦିଙ୍କ ଫର୍ମୂଲାରେ ଅପରାଜିତା ରାଜ୍ୟ ରାଜନୀତିରେ କେତେ ଧାକ ଜମାଇ ପାରୁଛନ୍ତି ତାହାର ଉତର ସମୟ ହିଁ ଦେଇପାରିବ  ।