ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତିଶ!
ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତିଶ!
ପାଟଣା: ବିହାର ଛାଡ଼ି ଦିଲ୍ଲୀକୁ ଯିବାକୁ ପ୍ରସ୍ତୁତ ହେଲେଣି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏ ଚର୍ଚ୍ଚା ଏବେ ପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉଡ଼ି ବୁଲୁଛି । ନିଜେ ନୀତିଶ କେତେକ ସାମ୍ବାଦିକଙ୍କ ସହ ଅନଔପଚାରିକ ଆଲୋଚନାବେଳେ ଏଭଳି ଇଚ୍ଛା ନେଇ ପ୍ରକାଶ କରିଛନ୍ତି । ରାଜନୈତିକ ଜୀବନ କାଳ ଭିତରେ ଲୋକସଭା, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାନସଭା, ବିଧାନ ପରିଷଦ ସଭ୍ୟ ହୋଇଥିବାବେଳେ କେବେ ବି ସେ ରାଜ୍ୟସଭାକୁ ଯାଇନଥିବା ନେଇ ଅବଶୋଷ ଥିବା ଜଣାଇଛନ୍ତି । ଅର୍ଥାତ୍ ରାଜ୍ୟସଭାକୁ ସେ ଯାଇପାରନ୍ତି । ଗତ ବିହାର ବିଧାନସଭା ନିର୍ବାଚନବେଳେ ବି ନୀତିଶ ମଞ୍ଚରୁ ଘୋଷଣା କରିଥିଲେ, ଏହା ତାଙ୍କ ଶେଷ ନିର୍ବାଚନ । ତେଣୁ ମୁଖ୍ୟମନ୍ତ୍ରୀ ପଦ ଯିବା ପୂର୍ବରୁ ସେ ପଦ ଛାଡ଼ି ଦିଲ୍ଲୀ ମୁହାଁଇବା ଯୋଜନାରେ ଅଛନ୍ତି । ଏପରିକି ସେ ଉପରାଷ୍ଟ୍ରପତି ପଦ ଉପରେ ନଜର ରଖିଥିବା ବିହାରରୁ ନେଇ ଦିଲ୍ଲୀ ପର୍ଯ୍ୟନ୍ତ ଆଲୋଚନା ହେଉଛି ।
ଗତ ବିଧାନସଭା ନିର୍ବାଚନରେ ଆରରେଜଡି ସବୁଠୁ ଅଧିକ ଆସନ ଜିତିଥିଲେ ବି ସଂଖ୍ୟା ଗରିଷ୍ଠତା ନଥିଲା । ଅନ୍ୟପଟେ କମ୍ ଆସନ ପାଇ ମଧ୍ୟ ନୀତିଶ ବିଜେପି ମେଣ୍ଟ ସହଯୋଗରେ ମୁଖ୍ୟମନ୍ତ୍ରୀ ହେଲେ । ହେଲେ ବିଜେପି ରାଜ୍ୟ ନେତୃତ୍ୱ ସବୁବେଳେ ବିହାର ମୁଖ୍ୟମନ୍ତ୍ରୀ ଆସନ ଉପରେ ଆଖି ରଖିଛନ୍ତି । କେବେ ବି ବିଜେପିରୁ ବିହାରରେ କେହି ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ଏ ନେଇ ବିଜେପି ସବୁବେଳେ ଚାପ ପ୍ରୟୋଗ କରୁଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ । ଏ ଚର୍ଚ୍ଚା ଏବେ ବଢ଼ିଛି । ବିହାର ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ହେବାକୁ କମର କଷିଲେଣି । ଅନ୍ୟପଟେ ନୀତିଶ ରାଜ୍ୟସଭା କିମ୍ବା ଉପରାଷ୍ଟ୍ରପତି ମଧ୍ୟ ହେବା ନେଇ ଚର୍ଚ୍ଚା ହେଉଛି । ଆରଜେଡି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀ ଏହାକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ନୀତିଶ ବିହାରକୁ ଚଳାଇ ପାରୁନାହାନ୍ତି । ତେଣୁ ସେ ଯୁଆଡେ଼ ଯିବା କଥା ଯାଆନ୍ତୁ, ବିହାରକୁ ଛାଡ଼ି ଦିଅନ୍ତୁ । ଆରଜେଡି ନେତାମାନେ କହୁଛନ୍ତି, କୁର୍ସି ପାଇଁ ନୀତିଶ କିଛି ବି କରିପାରନ୍ତି । ତେବେ ରାଜ୍ୟସଭା ନୁହେଁ ସେ ଉପରାଷ୍ଟ୍ରପତି ପଦବୀ ପାଇଁ ବିହାରବାସୀଙ୍କୁ ଧୋକା ଦେଇ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିପାରନ୍ତି । ଅନ୍ୟପକ୍ଷେ ବିହାର କଂଗ୍ରେସ ନୀତିଶକୁ ପ୍ରସ୍ତାବ ଦେଇଛି, ଅତୀତର ଭୁଲ୍ ସଂଶୋଧନ କରି ନୀତିଶ ପୁଣି ମହାମେଂଟକୁ ଫେରି ଆସନ୍ତୁ । ଆରଜେଡି, କଂଗ୍ରେସ, ଜେଡିୟୁ ମିଶି ବିହାରରେ ସରକାର ଚଳାଇବା ।




admin 