ମୁଖ୍ୟମନ୍ତ୍ରୀ ନ ହେବା ଯାଏ ବିଧାନସଭା ମାଡ଼ିବିନି
ମୁଖ୍ୟମନ୍ତ୍ରୀ ନ ହେବା ଯାଏ ବିଧାନସଭା ମାଡ଼ିବିନି
ହାଇଦ୍ରାବାଦ: ବିଧାନସଭାରେ ଆଲୋଚନାବେଳେ ଶାସକ ୱାଇଏସଏଆର କଂଗ୍ରେସ ପାର୍ଟି ସଦସ୍ୟମାନଙ୍କ କଟୁ ମନ୍ତବ୍ୟରେ ମର୍ମାହତ ଓ ଅପମାନିତ ଅନୁଭବ କରିଛନ୍ତି ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ । ଏମିତି ଅପମାନିତ ହୋଇ ସେ ଗୃହ ବାହାରକୁ ଚାଲିଯାଇଥିବାବେଳେ ପ୍ରେସ ମିଟ୍ରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଭାବ ବିହ୍ୱୋଳ ହୋଇ ନାଇଡ଼ୁ କହିଛନ୍ତି, ବହୁତ ହୋଇଗଲା । ଏ ଅପମାନ ସହି ହେବନି । ମୋତେ ଅପମାନିତ କରିବାକୁ ଯାଇ ମୋ’ ପତ୍ନୀ ନାଁରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରାଗଲା । ମୋତେ ବିଧାନସଭାରେ କହିବାକୁ ସୁଯୋଗ ମିଳିଲାନି । କହିବାବେଳେ ମାଇକ ବନ୍ଦ କରି ଦିଆଗଲା । ଏ ଅପମାନ କେବେ ଭୁଲିବି ନାହିଁ । ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇନାହିଁ, ସେ ପର୍ଯ୍ୟନ୍ତ ବିଧାନସଭା ମାଟି ମାଡ଼ିବି ନାହିଁ । ମୁଖ୍ୟମନ୍ତ୍ରୀ ହେଲେ ହିଁ ଫେରିବି ବୋଲି ଚନ୍ଦ୍ରବାବୁ କହିଛନ୍ତି । ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
ଜଗନମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ରାଜ୍ୟରେ କ୍ଷମତାରେ ଥିବାବେଳେ ଟିଡିପି ଦୁର୍ବଳ ହୋଇଛି । ନିକଟରେ ଅନୁଷ୍ଠିତ ପୌର ନିର୍ବାଚନରେ ବି ଟିଡିପି ଝଟକା ଖାଇଛି । ଏହାକୁ ନେଇ ଚନ୍ଦ୍ରବାବୁ ବ୍ୟଥିତ ବି ଅଛନ୍ତି । ଏଭଳି ସମୟରେ ବିଧାନସଭାରେ କୃଷି ସମ୍ପର୍କିତ ଆଲୋଚନାବେଳେ ଚନ୍ଦ୍ରବାବୁ ଏବଂ ୱାଇଏସଆର କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ କିଛି ବିଧାୟକ ଚନ୍ଦ୍ରବାବୁଙ୍କ ପ୍ରତି କଟୁ ମନ୍ତବ୍ୟ କରିଥିଲେ । ଏଥିରେ ଗଭୀର ଭାବେ ମର୍ମାହତ ହୋଇଥିଲେ ଚନ୍ଦ୍ରବାବୁ । ନିଜ ଦଳର ସଦସ୍ୟଙ୍କ ସହ କକ୍ଷତ୍ୟାଗ କରିଥିଲେ ।




admin 