ମାସେ ଚିକିତ୍ସା ପରେ ଅହିରାଜ ଗଲା ଜଙ୍ଗଲ
ମାସେ ଚିକିତ୍ସା ପରେ ଅହିରାଜ ଗଲା ଜଙ୍ଗଲ
ଭୁବନେଶ୍ୱର: ଗତ ୨୪ ଡିସେମ୍ବର ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଚିଲିକା ଛକ ନିକଟରେ ରହୁଥିବା ରିଙ୍କୁ ବିଶ୍ୱାଳ ଙ୍କ ବାଡ଼ିରେ ଏକ ବିରାଟକାୟ ଅହିରାଜ ସାପ ପଶିଯାଇଥିଲା । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ବାପି ମିଶ୍ର ଓ ମିହିର ପଣ୍ଡା ଘଟଣା ସ୍ଥଳରେ ପହଁଚି ସାପ ଟିକୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ପୂର୍ବରୁ ରିଙ୍କୁ ବିଶ୍ୱାଳ ଙ୍କ ପଡିଶା ଘର ଛାତ ଉପରୁ କେହି ଜଣେ ଏକ ଗୋଟା ଇଟା ସାପ ଉପରକୁ ଫିଙ୍ଗି ଦେଇଥିଲେ, ଯାହା ଫଳରେ କି ଅହିରାଜ ଟି ଆହତ ହୋଇଥିଲା । ୧୨ ଫୁଟ ଲମ୍ବର ଆହତ ଅହିରାଜ ଭୁବନେଶ୍ବର ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜରେ ଏକ୍ସରେ କରିବା ପରେ ୪ ଟି ପଞ୍ଜରା ହାଡ ଭାଂଗିଥିବା ଜନ ପଡିଥିଲା । ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଏବଂ ତାଙ୍କର ଟିମ ମିଶି ଗତ ୩୦ ଡିସେମ୍ବର ତାରିଖରେ ସଫଳତାର ଅହିରାଜ ସାପ ର ପ୍ଲାଷ୍ଟର୍ କରିଥିଲେ ।
ପ୍ଲାଷ୍ଟର୍ କରିବା ପାଇଁ ଏକ ୩ ଇଞ୍ଚ ମୋଟେଇ ପିଭିସି ପାଇପକୁ ଆରି ପାତ ସାହାଯ୍ୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ କାଟି ଦୁଇଭାଗ କରିଥିଲେ । ଏହା ପରେ ସେହି ଦୁଇ ଫାଳ ପାଇପର ଭିତର ପଟେ ତୁଳା ଓ ମାଇକ୍ରୋପୋର ବ୍ୟାଣ୍ଡେଜ୍ ସାହାଯ୍ୟରେ ପ୍ୟାଡିଙ୍ଗ ଦିଆଯାଇ ନରମ ଗଦି ପରି ବ୍ୟବସ୍ଥା କରାଯାଇଥିଲା ଯେମିତି କି ସାପ ଦେହରେ କଠିନ ପ୍ଲାଷ୍ଟିକ ପାଇପ ଘଷି ହୋଇ କ୍ଷତ ହେବନାହିଁ । ଆଜି ସେହି ପ୍ଲାଷ୍ଟର କୁ ଖୋଲା ଯାଇଥିଲା । ପ୍ଲାଷ୍ଟର ଖୋଳିବା ପୂର୍ବରୁ ଅହିରାଜ ସାପର ମୁଣ୍ଡକୁ ଏକ ଟ୍ରାନ୍ସପାରେଣ୍ଟ ରିଷ୍ଟ୍ରେନିଂ ଟ୍ୟୁବ ଭିତରେ ଭର୍ତ୍ତି କରିବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଅତ୍ୟନ୍ତ ସତର୍କତା ର ସହିତ ସାପକୁ କବଳିତ କରି ଟେବୁଲ ଉପରେ ଧରି ରଖିଥିଲେ ।
ଗତ ଶୁକ୍ରବାର ଜାନୁୟାରୀ ୨୧ ତାରିଖରେ ଭେଟେରିନାରୀ ସର୍ଜରୀ ବିଭାଗର ପ୍ରଫେସର ଇନ୍ଦ୍ରମଣୀ ନାଥ, ଆସିଷ୍ଟାଣ୍ଟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ବେହେରା ଓ ତାଙ୍କ ଅହିରାଜ ର ପ୍ଲାଷ୍ଟର୍ କୁ ଖୋଲିଥିଲେ । ସାପଟି ସମ୍ପୁର୍ଣ୍ଣ ସୁସ୍ଥ ହୋଇଥିଲା ।
୩ ଦିନ ଅବଜରଭେସନ ରେ ରଖିବା ପରେ ଆଜି ସ୍ନେକ ହେଲ୍ପ ଲାଇନ ର ଏକ 4 ଜଣିଆ ଟିମ ବାଲୁଗାଁ ରେଞ୍ଜ ଅଫିସ କୁ ସୁସ୍ଥ ଅହିରାଜ କୁ ନେଇ ଯାଇଥିଲେ । ବାଲୁଗାଁ ରେଞ୍ଜ ଅଫିସର ବନରାମ ପ୍ରସାଦ ନନ୍ଦ ଅହିରାଜ ସାପ ଟିକୁ ଦେଖିବା ପରେ ଜଙ୍ଗଲ ରେ ଛାଡିବା କୁ ନିର୍ଦ୍ଦେଶ ଦେଇଥିଲେ । ବାଲୁଗାଁ ଫରେଷ୍ଟର୍ ଜିତେନ୍ଦ୍ର କୁମାର ନାୟକ ଓ ବାଲୁଗାଁ ବନଖଣ୍ଡ କର୍ମଚାରୀ ହୃଦାନନ୍ଦ ଜେନା ଙ୍କ ଉପସ୍ଥିତିରେ ଅହିରାଜ କୁ ଜଙ୍ଗଲ ଭିତରେ ଛାଡି ଦିଆଯାଇଥିଲା ।
ସାପଟି ପ୍ରଥମେ ପାଣି ପିଇବା ପରେ ଆରାମରେ ଜଙ୍ଗଲ କୁ ଚାଲି ଯାଇଥିଲା । ସାପଟିର ଗତିବିଧି କୁ ପ୍ରାୟ 10 ମିନିଟ ପର୍ଯ୍ୟନ୍ତ ସ୍ନେକ ହେଲ୍ପ ଲାଇନ ଟିମ ତଦାରଖ କରିଥିଲେ ।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଅହିରାଜ ସାପ ବିଷ ପାଇଁ ଆଣ୍ଟି ଭେନମ ଭାରତରେ ନଥିବା ଜାଣି ସୁଦ୍ଧା ଆମେ ଏତେ ବଡ ବିଷଧର ସାପକୁ ଚିକିତ୍ସା କରିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ଏବଂ ଆମେ ଏହା ସଫଳତାର ସହ ସମାପନ କରିଛୁ । ସାପ ଟି ଆଗକୁ ଗୋଟିଏ ଥର କାତି ଛଡ଼େଇବା ପରେ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ଜୀବନ ଯାପନ କରିପାରିବ ବୋଲି ଆମେ ଆଶାବାଦୀ" ।
ଅହିରାଜ କୁ ଛାଡିବା ଟିମ ରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ସାହୁ, ସୁରଜ ରଞ୍ଜନ ପ୍ରସନଜିତ, ବାବୁଲ କୁମାର ରାଉତଙ୍କ ସହିତ ଉଦ୍ଧାରକାରୀ ସଦସ୍ୟ ବାପି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।




admin 