ମାଓବାଦୀଙ୍କ ବର୍ବର ପ୍ରତିଶୋଧ, ଜାଳିଦେଲେ ଜେସିବି, ଟ୍ରାକ୍ଟର
ମାଓବାଦୀଙ୍କ ବର୍ବର ପ୍ରତିଶୋଧ, ଜାଳିଦେଲେ ଜେସିବି, ଟ୍ରାକ୍ଟର
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିବାର ଦଶ ଦିନ ନପୂରୁଣୁ ପ୍ରତିଶୋଧ ନେଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ଟିକରବାଜୁ ଗ୍ରାମର ନୀଳକଣ୍ଠଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସନ୍ଧ୍ୟାରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରିଛନ୍ତି। ରାସ୍ତା କାମରେ ନିୟୋଜିତ ଥିବା ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି।
ସୂଚନାନୁଯାୟୀ, ଠିକା ସଂସ୍ଥାର କର୍ମଚାରୀଙ୍କୁ ବାହାରି ଯିବାକୁ କହି ମାଓବାଦୀମାନେ ପୋଡା ଜଳା କରିଛନ୍ତି। ନିକଟରେ ମାଓ ପୋଷ୍ଟର ଛାଡ଼ିଯାଇଛନ୍ତି। ଏହି ପୋଷ୍ଟର ମାଧ୍ୟମରେ ସେମାନେ ଅନ୍ୟ ପୋଲିସ ଇନଫର୍ମରମାନଙ୍କୁ ଚେତାବନୀ ଦେଇଛନ୍ତି। ସୁଡ୍ରକ୍ଷ ଗାଁର ଠିକାଦାର ଟୁନା ସାହୁ, ବବଲୁ ବାପି, ପଟାଙ୍ଗୀ ଗାଁ ମୁଖିଆ ଜହନ ମାଝୀ, ଗୋସ୍କା ଗାଁର ଅମସ ହରିଜନ ମିତ୍ରା, ଜାମ୍ବୁଲି ସଞ୍ଜୟ, ମୋହନଗିରୀ ଗାଁର ସିଲି ମାଝୀ ଏବଂ ଖମନଖୋଲ ଟିକରବାଜୁ ଡାକା ଗାଁରେ ପୋଲିସ ସୂଚନାଦାତା ଭାବେ କାମ କରୁଥିବା ଲୋକଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି। ଖୁବ୍ ଶୀଘ୍ର ପୋଲିସର ସୂଚନାଦାତା କାମ ଛାଡ଼ିଦେବାକୁ ସତର୍କ ଘଣ୍ଟି ଦିଆଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ କେକେବିଏନ ଡିଭିଜନ ଏହି କାଣ୍ଡ ଭିଆଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।




admin 