ମହେନ୍ଦ୍ର ସିଂହ ଧୋନିଙ୍କ ଏକ ମହାନ ଗୁଣ, ଦଳୀୟ ଚରିତ୍ର ତଥା ତ୍ୟାଗ ପଦାକୁ ଆସିଛି, ଜାଣନ୍ତୁ କଣ
ମହେନ୍ଦ୍ର ସିଂହ ଧୋନିଙ୍କ ଏକ ମହାନ ଗୁଣ, ଦଳୀୟ ଚରିତ୍ର ତଥା ତ୍ୟାଗ ପଦାକୁ ଆସିଛି, ଜାଣନ୍ତୁ କଣ
admin
May 7, 2021 - 07:22
Updated: May 7, 2021 - 07:22
ନୂଆଦିଲ୍ଲୀ: କୋଭିଡ-୧୯ ଆଇପିଏଲ ଜୈବ ବଳୟକୁ ଭେଦିଯିବା ପରେ ଆଇପିଏଲର ଚତୁର୍ଦ୍ଧଶ ସଂସ୍କରଣକୁ ସ୍ଥଗିତ ରଖାଯାଇଛି । ଏଭଳି ଜଟିଳ ପରିସ୍ଥିତିରେ ବି ମହେନ୍ଦ୍ର ସିଂହ ଧୋନିଙ୍କ ଏକ ମହାନ ଗୁଣ, ଦଳୀୟ ଚରିତ୍ର ତଥା ତ୍ୟାଗ ପଦାକୁ ଆସିଛି । ଚେନ୍ନାଇ ସୁପର କିଙ୍ଗ୍ସର ସମସ୍ତ ଖେଳାଳି ଓ ଅଧିକାରୀ ସୁରକ୍ଷିତ ଭାବେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ନପହଞ୍ଚିବା ପର୍ଯ୍ୟନ୍ତ ସେ ହୋଟେଲ୍ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ । ଫଳରେ ସଂକ୍ରମିତ ସଦସ୍ୟମାନଙ୍କ ସହିତ ଅନ୍ୟମାନଙ୍କୁ ପ୍ରାଥମିକତା ମିଳିଥିଲା ଏବଂ ଧୋନି ଗୁରୁବାର ସବାଶେଷରେ ଅପରାହ୍ନରେ ରାଞ୍ଚି ଅଭିମୁଖେ ବାହାରିଥିଲେ । ଏଥି ସହିତ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ ଏହାର ଦୁଇ ସଂକ୍ରମିତ ସଦସ୍ୟ ବ୍ୟାଟିଂ ପ୍ରଶିକ୍ଷକ ଡେଭିଡ୍ ହସି ଏବଂ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀଙ୍କୁ ଦିଲ୍ଲୀରୁ ଚେନ୍ନାଇ ଏୟାର ଆମ୍ବୁଲାନ୍ସରେ ପଠାଇବାର ବ୍ୟବସ୍ଥା କରିଥିଲା । ଉନ୍ନତ ଚିକିତ୍ସା ଲାଗି ଉଭୟଙ୍କୁ ଦିଲ୍ଲୀରୁ ଚେନ୍ନାଇ ନିଆଯାଇଛି । ହସି ସୁସ୍ଥ ହେବା ସହ କୋଭିଡ ନେଗେଟିଭ୍ ରିପୋର୍ଟ ନପାଇବା ପର୍ଯ୍ୟନ୍ତ ସ୍ୱଦେଶ ଫେରିପାରିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ ବିଦେଶୀ ଖେଳାଳିମାନଙ୍କ ପାଇଁ ସ୍ୱଦେଶ ଫେରିବାକୁ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲା ବୋଲି ଜଣେ ଅଧିକାରୀ ପ୍ରକାଶ କରିଥିଲେ । ସୁରକ୍ଷିତ ଭାବେ ସେମାନଙ୍କୁ ଘରେ ପହଞ୍ଚାଇବା ଆମ ଦାୟିତ୍ୱ ଥିବାରୁ ସେମାନଙ୍କୁ ଅପେକ୍ଷା କରିବାର ପ୍ରଶ୍ନ ଉଠିନାହିଁ ବୋଲି ସେ ପ୍ରକାଶ କରିଥିଲେ ।