ମନ୍ତ୍ରୀଙ୍କ ସରକାରୀ ବାସଭବନକୁ କଂଗ୍ରେସର ପିଆଜ ମାଡ

ମନ୍ତ୍ରୀଙ୍କ ସରକାରୀ ବାସଭବନକୁ କଂଗ୍ରେସର ପିଆଜ ମାଡ

ମନ୍ତ୍ରୀଙ୍କ ସରକାରୀ ବାସଭବନକୁ କଂଗ୍ରେସର ପିଆଜ ମାଡ
ଭୁବନେଶ୍ୱର - ପିଆଜ ଦର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଗୋଟିଏ ପଟେ ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ନାକେଦମ ହୋଇପଡ଼ିଥିବାବେଳେ ରାଜନୈତିକ ଦଳ ସରକାରଙ୍କ ଉପରେ ନିଶାନା ସାଧୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ୪୦ ଟଙ୍କାରେ ପିଆଜ ବିକ୍ରି କରି ଅଭିନବ ପ୍ରତିବାଦ କରାଯାଇଥିବାବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ଉପରକୁ ପିଆଜ ମାଡ଼ କରାଯାଇଛି । ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ଏକ ର୍ୟାଲିରେ କଂଗ୍ରେସ ଭବନରୁ ବାହାରିଥିଲେ । ବେକରେ ପିଆଜ ମାଳ ପକାଇ ସେମାନେ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଗସ୍ତ କରିଥିଲେ । ବାଟରେ ସେମାନେ ପିଆଜ ଦେଢ଼ ଶହ ଟଙ୍କା, ଆପଣମାନେ ଖୁସି ତ ବୋଲି ନାରାବାଜି ମଧ୍ୟ କରୁଥିଲେ । ତେବେ ଯୋଗାଣ ମନ୍ତ୍ରୀଙ୍କ ବାସଭବନକୁ ଯିବା ପୂର୍ବରୁ ସେମାନଙ୍କୁ ପୁଲିସ ଅଟକାଇ ଦେଇଥିଲା । ଫଳରେ କେତେକ ଛାତ୍ର ନେତା ମନ୍ତ୍ରୀଙ୍କ ଘର ଉପରକୁ ପିଆଜ ମାଡ଼ କରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟଯେ, ସାରା ଦେଶରେ ପିଆଜ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏମିତିକି ସ୍ଥାନେସ୍ଥାନେ ପିଆଜ ଦର ୨୦୦ ଟଙ୍କା ଛୁଇଁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ଦର ନିୟନ୍ତ୍ରଣ ପାଇଁ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି । ତେବେ ଜାନୁଆରୀ ବେଳକୁ ପିଆଜ ଦର ହ୍ରାସ ପାଇବ ବୋଲି ନିକଟରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଥିଲେ ।