ଭୁବନେଶ୍ବରରେ ଉଦ୍ଘାଟିତ ହେଲା ଫିଫା ମହିଳା ବିଶ୍ବକପ୍
ଭୁବନେଶ୍ବରରେ ଉଦ୍ଘାଟିତ ହେଲା ଫିଫା ମହିଳା ବିଶ୍ବକପ୍
ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍। ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ ଓଡ଼ିଶା ହୋଇଛି ଅନ୍ୟତମ ଆୟୋଜକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୪ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (କ୍ରୀଡ଼ା ଓ ଯୁବବ୍ୟାପାର), ଧର୍ମେନ୍ଦ୍ର ପ୍ରଧାନ (ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା), କିରଣ ରିଜିଜୁ (ଆଇନ୍), ନୀଶିଥ ପରମାଣିକ (କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ)ଙ୍କ ଉପସ୍ଥିତିରେ ଏହି ବିଶ୍ବକପ୍ ଉଦ୍ଘାଟିତ ହୋଇଛି। ମଙ୍ଗଳବାର ମଙ୍ଗଳବାର ଅପରାହ୍ଣରେ ବ୍ରାଜିଲ୍-ମରୋକ୍କୋ ମ୍ୟାଚ୍ ଖେଳାଯାଇଥିବା ବେଳେ ରାତି ଆଠଟାରେ ଭାରତ-ଆମେରିକା ମ୍ୟାଚ୍ ପୂର୍ବରୁ ଏହି ଅତିଥିମାନେ ସଂକ୍ଷିପ୍ତ ଉଦ୍ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ୨ ମିନିଟିଆ ଆତସବାଜି କାର୍ୟ୍ୟକ୍ରମ ପରେ ପରେ ଉଭୟ ଭାରତ ଓ ଆମେରିକା ଖେଳାଳିମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇଥିଲେ। ଫଟୋ ପୋଜ୍ ବେଳକୁ ଧର୍ମେନ୍ଦ୍ର ଓ ଅନୁରାଗ ଯୋଡ଼ି ହୋଇଥିଲେ। ଫିଫା ମହାସଚିବ ଫତେମା ସମୌରା, ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫଏଫ୍) ସଭାପତି କଲ୍ୟାଣ ଚୌବେ, ଗୋଆ କ୍ରୀଡ଼ାମନ୍ତ୍ରୀ ଗୋବିନ୍ଦ ଗୌଡ଼େ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଫୁଟ୍ବଲ୍ ପାଇଁ ବିଶେଷ ପରିଚିତ ବ୍ରାଜିଲ୍ର ବିଜୟରୁ ହିଁ କଳିଙ୍ଗ ଷ୍ଟାଡିୟମ୍ରେ ଫିଫା ଯୁବା ବିଶ୍ବକପ୍ (୧୭ ବର୍ଷରୁ କମ୍) ଆରମ୍ଭ ହୋଇଛି। ପୁରୁଷ ଫିଫା ବିଶ୍ବକପ୍ରେ ରେକର୍ଡ ୫ ଥର ବିଜେତା ଏହି ଦେଶ ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ରେ ସଫଳ ଦେଶ ନଥିଲେ ମଧ୍ୟ ମଙ୍ଗଳବାର ପଦାର୍ପଣକାରୀ ମରୋକ୍କୋକୁ ୧-୦ ଗୋଲ୍ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଏଥି ସହ ଅନ୍ୟତମ ଦାବିଦାର ଭାବେ ଭାରତ ଆସିଥିବା ବ୍ରାଜିଲ୍ ଏହି ଦ୍ବିବାର୍ଷିକ ପ୍ରତିଯୋଗିତାକୁ ଷ୍ଟାଇଲ୍ରେ ଆରମ୍ଭ କରିଛି। ଆଫ୍ରିକୀୟ ଦେଶ ମରୋକ୍କୋ ପଦାର୍ପଣରେ ପରାଜୟ ବରଣ କରିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ବଢ଼ିଆ ଖେଳି ଦମ୍ ଦେଖାଇଥିଲା।




admin 