ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
admin
Jul 4, 2019 - 05:23
Updated: Jul 4, 2019 - 05:23
ପୁରୀ /ଭୁବନେଶ୍ୱର:ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପ୍ରତି ବର୍ଷ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ରତ୍ନବେଦି ଛାଡି ଶ୍ରୀଗୁଣ୍ଡା ମନ୍ଦିର ଜନ୍ମବେଦିକୁ ବିଜେ କରିବେ । ନବଦିନ ବ୍ୟାପି ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ । ତିନିଠାକୁରଙ୍କ ଏହି ପବିତ୍ର ଲୀଳା ଦେଖିବାକୁ ବଡଦାଣ୍ଡ ହୋଇଉଠିଛି ଭକ୍ତମୟ । ଉତ୍ସବମୁଖର ହୋଇଉଠିଛି ପୁରୁଷୋତମ କ୍ଷେତ୍ର । ଆଜି ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ । ଅଣସର ପରେ ନବଯୌବନ ଦର୍ଶନ ଦେଇ ନବଦିନାତ୍ମକ ଯାତ୍ରାରେ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ବୁଧବାର ସକାଳ ୭ଟା ୩୫ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ହୋଇଥିଲା। ରଥଖଳାରୁ ତିନିରଥଙ୍କୁ ସିଂହଦ୍ୱାର ଆଣିବା ପାଇଁ ପୂର୍ବାହ୍ନ ସାଢ଼େ ୧୧ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବାକୁ ନୀତିନିର୍ଘଣ୍ଟ ହୋଇଥିଲା। ଠିକ୍ ସମୟରେ ଆଜ୍ଞାମାଳ ରଥଖଳାରେ ପହଞ୍ଚତ୍ଥିଲା। ପ୍ରଥମେ ବଡ଼ଠାକୁର, ପରେ ଜଗନ୍ନାଥ ଓ ଶେଷରେ ସୁଭଦ୍ରାଙ୍କ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହାପରେ ମଧ୍ୟାହ୍ନ ୧୨ଟା ୩୬ରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାରରେ ଲାଗିଥିଲା। ଏହାପରେ ତିନିରଥକୁ ଫୁଲରେ ସଜ୍ଜିତ କରାଯାଇଥିବାବେଳେ ରାତିରେ ଚାର ବନ୍ଧା ଯାଇ ରଥ ଉପରକୁ ସାରଥିଙ୍କୁ ନିଆଯାଇଥିଲା।
ସେପଟେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିଥିଲେ। ଗୁରୁବାର ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ୯ଟା ୩୦ରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୩୦ରେ ରଥକୁ ମଦନମୋହନ ବିଜେ କରିବେ। ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥଟଣା ଆରମ୍ଭ ଲାଗି ନୀତିନିର୍ଘଣ୍ଟ ହୋଇଛି।