ଭାଲେଣ୍ଟାଇନ୍ ଡେ’ରେ ଶିଶୁପାଳ, ଅଧା ରୋଷଣୀରେ ଫେରିଲା ବର
ଭାଲେଣ୍ଟାଇନ୍ ଡେ’ରେ ଶିଶୁପାଳ, ଅଧା ରୋଷଣୀରେ ଫେରିଲା ବର
admin
Feb 15, 2020 - 06:10
Updated: Feb 15, 2020 - 06:10
ନୀଳଗିରି: ଭାଲେଣ୍ଟାଇନ୍ ଡେ’ରେ ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସୁଥିବା ଜଣେ ବର ବାହା ହୋଇ ନ ପାରି ଫେରିଯାଇଛନ୍ତି। ଗତରାତିରେ ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ରେ। ବର ହେଉଛନ୍ତି ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଗ୍ରାମପଞ୍ଚାୟତର ଡାଲଙ୍ଗ ଗ୍ରାମର ଇଞ୍ଜିନିୟର ଶରତ ମହାରଣା। ବାହାନଗା ବ୍ଲକ୍ର ସାରଙ୍ଗପୁର ଗ୍ରାମର ଲକ୍ଷ୍ମଣ ମହାରଣାଙ୍କ ଝିଅଙ୍କୁ ସେ ବାହା ହେବାକୁ ଆସୁଥିଲେ। କିନ୍ତୁ, ଲକ୍ଷ୍ମଣଙ୍କ ଝିଅ ଜଣେ ନାବାଳିକା ବୋଲି ସ୍ଥାନୀୟ ଶିଶୁ ସୁରକ୍ଷା ସଂଗଠନକୁ କୌଣସି ସୂତ୍ରରୁ ଖବର ମିଳିଗଲା। ସତ୍ୟାସତ୍ୟ ଜାଣିବା ନିମନ୍ତେ ଶିଶୁ ସୁରକ୍ଷା ସଂଗଠନର ୫ଜଣିଆ ଟିମ୍ ପୁଲିସ ନେଇ ଲୋପିତାଙ୍କ ଘରେ ପହଞ୍ଚିଥିଲେ। କାଗଜପତ୍ର ଯାଞ୍ଚ କରି ଜାଣିବାକୁ ପାଇଲେ ଯେ ଝିଅକୁ ୧୮ ବର୍ଷ ହେବାକୁ ଆହୁରି ମାସେ ବାକି ଅଛି। ତେଣୁ, ବାହାଘର ବନ୍ଦ ରଖିବାକୁ ସେମାନେ ଲକ୍ଷ୍ମଣଙ୍କୁ ବୁଝାଇ ଥିଲେ।
ତେଣେ ବିଳମ୍ବିତ ରାତ୍ରୀରେ ବର ଏବଂ ବରଯାତ୍ରୀମାନେ ଶୋଭାଯାତ୍ରା କରି ବାହା ହେବାକୁ ଆସୁଥିବା ବେଳେ ଗୋପାଳପୁର ବଜାରରେ ପୁଲିସକୁ ଦେଖି ଭୟରେ ଫେରିଯାଇଥିଲେ। ଘଟଣାସ୍ଥଳରେ ଖନ୍ତାପଡ଼ା ଥାନା ଆଇଆଇସି ସଞ୍ଜୟ ପରିଡ଼ା ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।