ଭାରତ ଗସ୍ତରେ ଆସୁଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ
ଭାରତ ଗସ୍ତରେ ଆସୁଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ
admin
Oct 11, 2019 - 04:58
Updated: Oct 11, 2019 - 04:58
ଚେନ୍ନାଇ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ଭାରତର ଚେନ୍ନାଇ ସହରକୁ ଆସିବେ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ସେଥିପାଇଁ ଜିନ୍ପିଙ୍ଗଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ବୈଠକରେ ଯୋଗଦେବା ପାଇଁ ସେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି।
ଏହି ବୈଠକ ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘ ଦିନ ଧରି ରହିଆସିଥିବା ବିବାଦ ହ୍ରାସ କରି ସମ୍ପର୍କ ମଜଭୁତ କରିବାରେ ବଡ଼ ଭୂମିକା ନେବ ବୋଲି କୁହାଯାଉଛି। ଶୁକ୍ରବାର ସକାଳୁ ବେଜିଂରୁ ବାହାରି ସେ ବିଳମ୍ବିତ ମଧ୍ୟାହ୍ଣରେ ମାମଲ୍ଲାପୁରମ୍ ପର୍ଯ୍ୟଟନ କେନ୍ଦ୍ରରେ ପହଞ୍ଚିବେ। କୁହାଯାଉଛି ଅତୀତରେ ଏହି ସ୍ଥାନ ସହିତ ଚାଇନାର ବ୍ୟବସାୟିକ ସମ୍ପର୍କ ରହିଥିଲା। ବେଶ୍ କିଛି ସ୍ଥାନୀୟ ସାହିତ୍ୟରେ ଏହାର ବର୍ଣ୍ଣନା କରାଯାଇଛି। ଏହି ଅବସରରେ ୧୫୦୦ ବର୍ଷ ତଳର ଏହି ସମ୍ପର୍କର ସ୍ମୃତିଚାରଣ ହେବ ବୋଲି ଆଶଙ୍କା କରାଯାଉଛି।
ଏନେଇ ଚାଇନାର ବୈଦେଶିକ ଉପମନ୍ତ୍ରୀ ଲୁଓ ଝାଓହୁଇ କହିଛନ୍ତି, ଏହି ସମ୍ମିଳନୀ ପାଇଁ ଉଭୟ ରାଷ୍ଟ୍ର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉଭୟ ପକ୍ଷର ପ୍ରୟାସରେ ଜିନ୍ପିଙ୍ଗଙ୍କ ଏହି ଭାରତ ଗସ୍ତ ସଫଳ ହେବ ଏବଂ ଭବିଷ୍ୟତର ଆଲୋଚନା ପାଇଁ ଭିତ୍ତି ଓ ମାର୍ଗ ପ୍ରସ୍ତୁତ ହେବ। ଏହା ଅନୌପଚାରିକ ବୈଠକ ହୋଇଥିବାରୁ ଉଭୟ ରାଷ୍ଟ୍ରନେତା ହାଲକା ପରିବେଶରେ ବେଶ କିଛି ସମୟ ବିତାଇବେ ଏବଂ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସୀମିତ ନ ରହି ଆଲୋଚନା କରିବେ।