ବାରାଣାସୀରେ ଦ୍ୱିତୀୟ ମୋଦୀ

ବାରାଣାସୀରେ ଦ୍ୱିତୀୟ ମୋଦୀ

ବାରାଣାସୀରେ ଦ୍ୱିତୀୟ  ମୋଦୀ
ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଅବିକଳ ଦେଖିବାକୁ ଜଣେ ବ୍ୟକ୍ତି ଏବେ ଉତର ପ୍ରଦେଶର ବାରଣାସୀ ଆସନରେ ମୋଦୀଙ୍କୁ ଚ୍ୟାଲେଂଜ କରିଛନ୍ତି । ମୋଦୀଙ୍କ ପରି ବେଶ ପୋଷାକ ଧାରଣ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଭିନନ୍ଦନ ପାଠକ । ସେ ୨୦୧୪ ଲୋକସଭା ନିର୍ବାଚନରେ ମୋଦୀଙ୍କର ଜଣେ ଦୃଢ ସମର୍ଥକ ଥିଲେ । ମୋଦୀଙ୍କ ପରି ଦେଖାଯାଉଥିବାରୁ ଲୋକେ ବି ତାଙ୍କୁ ବେଶ ଆଦର କରୁଥିଲେ । କିନ୍ତୁ ଅଭିନନ୍ଦନଙ୍କ କହିବା ଅନୁଯାୟୀ ଏବେ ଆଉ ଲୋକମାନଙ୍କଠାରୁ ସେ ପୂର୍ବ ଆଦର ମିଳୁନି । ଲୋକେ ତାଙ୍କୁ ଦେଖିଲେ ରାଗୁଛନ୍ତି । ମୋଦୀ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିନଥିବାରୁ ଲୋକେ ତାଙ୍କୁ କେବଳ ପ୍ରଶ୍ନ କରୁଛନ୍ତି । ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ସେ ମୋଦୀଙ୍କ ବିରୋଧରେ ବାରଣାସୀରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ମେ ୧୯ ତାରିଖରେ ବାରଣାସୀ ଆସନରେ ନିର୍ବାଚନ ହେବ । ୫୮ ବର୍ଷୀୟ ଅଭିନନ୍ଦନ କହିଛନ୍ତି, ଲୋକମାନଙ୍କର ମୋଦୀଙ୍କ ପ୍ରତି ରାଗ ଢେର ବଢିଯାଇଛି । ଯେ କୌଣସି ସ୍ଥାନକୁ ଗଲେ ମୋଦୀଙ୍କ ବିରୋଧରେ ଲୋକଙ୍କ ମନରେ ଥିବା ରାଗ ହିଁ ଦେଖିବାକୁ ମିଳୁଛି । ତେବେ ଅଭିନନ୍ଦନଙ୍କ ପରି ମୁମ୍ବାଇରେ ମଧ୍ୟ ମୋଦୀଙ୍କ ଭଳି ଦେଖିବାକୁ ଅନ୍ୟ ଜଣେ ବ୍ୟକ୍ତି ଅଛନ୍ତି । ବିକାଶ ମହନ୍ତ ନାମକ ଏହି ବ୍ୟକ୍ତି ଜଣଙ୍କ ବିଜେପିର ଷ୍ଟାର ପ୍ରଚାରକ । କିନ୍ତୁ ତାଙ୍କ ଉପରକୁ ଆକ୍ରମଣ ହେବାପରେ ସେ ପ୍ରଚାର କାର୍ଯ୍ୟରୁ ଦୂରେଇ ଯାଇଛନ୍ତି ।